Odisha Link
Bridging the Missing Links in Odisha

ମିଳିଲାନି ଟିକେଟ୍; ପ୍ରଭୁ ଖାଟୁ ଶ୍ୟାମଙ୍କ ଶରଣରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ ଆଜି ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ଦଳ। ସବୁଠୁ ବଡ଼ କଥା ହେଲା କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ନାମ କୌଣସି ଆସନ ପାଇଁ ଏପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏସବୁ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଖାଟୁ ଶ୍ୟାମଙ୍କ ମନ୍ଦିର ଗସ୍ତ କରିଥିବା ସୂଚନା ରହିଛି।

୨୧ଟି ଲୋକସଭା ଆସନ ପାଇଁ ଦଳ ପୂର୍ବରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ନାମ ନଥିଲା। ଆଶା କରାଯାଉଥିଲା ଯେ ତାଙ୍କ ନାମ ବିଧାନସଭା ଆସନ ପାଇଁ ଘୋଷଣା ହୋଇପାରେ। ହେଲେ ବିଜେପି ମୟୂରଭଞ୍ଜର ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି। ହେଲେ ବିଶେଶ୍ବର ଟୁଡୁଙ୍କ ନାମ ସେଥିରେ ମଧ୍ୟ ନାହିଁ। ଏପରିକି କିଛିଦିନ ହେବ ବିଶେଶ୍ବର ଟୁଡୁ ରାଜ୍ୟ ରାଜନୀତିରେ ସକ୍ରିୟ ନଥିବା ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ରାଜସ୍ଥାନର ପ୍ରସିଦ୍ଧ ପ୍ରଭୁ ଖାଟୁ ଶ୍ୟାମଙ୍କ ଦର୍ଶନ କରୁଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ପାଇଛି। ସେ ଆଜି ସକାଳେ ରାଜସ୍ଥାନର ଜୟପୁର ଗସ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ଶ୍ରୀ ଟୁଡୁଙ୍କ ପ୍ରଭୁ ଖାଟୁ ଶ୍ୟାମଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଥାଉକି, ବିଶେଶ୍ବର ଟୁଡୁ କେନ୍ଦ୍ରମନ୍ତ୍ରୀ ହେବା ପରେ ବହୁ ବିବାଦରେ ରହିଥିଲେ। ଏପରିକି ନିକଟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଏସବୁକୁ ନଜରରେ ରଖି ବିଜେପି ହାଇକମାଣ୍ଡ ବିଶେଶ୍ବର ଟୁଡୁଙ୍କୁ ଟିକେଟ୍‌ ଦେଇନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.