Odisha Link
Bridging the Missing Links in Odisha

ଗଣତନ୍ତ୍ରର ମହାପର୍ବ ଆରମ୍ଭ; ପୁରୀ ବେଳାଭୂମିରେ ସଚେତନତାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ଓଏଲ୍‌ ବ୍ୟୁରୋ: ବିଶ୍ବର ସବୁଠୁ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେଲା ମହାପର୍ବ। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ। ପୁରୀ ବେଳାଭୂମିରେ ଭୋଟରଙ୍କୁ ସଚେତନ କରିବାକୁ ବାଲୁକା କଳା କରାଯାଇଛି। ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଭୋଟ ଦେବା ଲାଗି ସମସ୍ତଙ୍କୁ ଅପିଲ କରିଛନ୍ତି।

ଏଥିସହିତ ୮ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେଉଛି। ଆଜି ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟରେ ହେଉଛି ମତଦାନ। ସେହିପରି ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ଚାଲିଛି ମତଦାନ। ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ ପ୍ରଦେଶର ୨ଟି ଯାକ ଆସନ, ମଣିପୁରର ସମସ୍ତ ୨ଟି ଆସନ, ମେଘାଳୟର ସମସ୍ତ ୨ଟି ସିଟ୍ ଏବଂ ଛତିଶଗଡ଼, ତ୍ରିପୁରା, ମିଜୋରମ, ନାଗାଲାଣ୍ଡ, ଜମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ବୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନରେ ହେଉଛି ମତଦାନ।

ପ୍ରଥମ ପର୍ଯ୍ୟାୟରେ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୧ ହଜାର ୪୯୧ ଜଣ ପୁରୁଷ ପ୍ରାର୍ଥୀ ଏବଂ ୧୩୪ ଜଣ ମହିଳା। ଭୋଟିଂ ଲାଗି ମୋଟ ୧ ଲକ୍ଷ ୮୪ ହଜାର ବୁଥ୍ କରାଯାଇଛି। ଏହି ପର୍ଯ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟର ନିଜର ପ୍ରତିନିଧି ବାଛିବେ।

ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି, ନିଶିଥ ପାରମାଣିକ, ଏଲଜେପିର ଚିରାଗ ପାଶୱାନ, ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇ, ଡିଏମକେର କାନିମୋଈ ଓ ଏ. ରାଜା। ସେହିପରି ନକୁଲ ନାଥ, ତାମିଲସାଇ ସୌନ୍ଦର୍ଯ୍ୟରାଜନ, ଜିତିନ ପ୍ରସାଦଙ୍କ ଭଳି ଅନେକ ହେଭିୱେଟ୍ ମଇଦାନରେ ଅଛନ୍ତି। ଲୋକଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶୱନ। ସେ ବିହାରର ଜାମୁଇରୁ ଏଲଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ସେହିପରି କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ ଏହି ପର୍ଯ୍ୟାୟରେ ନିର୍ବାଚନ ମଇଦାନରେ ଅଛନ୍ତି। ସେ ମଧ୍ୟପ୍ରଦେଶର ଛିନ୍ଦୱାରାରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି।

Leave A Reply

Your email address will not be published.