Odisha Link
Bridging the Missing Links in Odisha

ଆଉ କାଟିବନି ଖରା! ଟ୍ରାଫିକ ପୁଲିସଙ୍କୁ ମିଳିଲା ଏସି ହେଲମେଟ୍

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଆପଣ ଅନେକ ସମୟରେ ଦେଖିଥିବେ ଯେ ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ପ୍ରବଳ ଗରମ ସତ୍ତ୍ୱେ ଟ୍ରାଫିକ ପୁଲିସମାନେ ବହୁ କଷ୍ଟରେ ଡ୍ୟୁଟି କରିଥାନ୍ତି। ତେବେ ବର୍ତ୍ତମାନ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି। ବାସ୍ତବରେ ପୁଲିସ ବିଭାଗ ପକ୍ଷରୁ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଏସି ହେଲମେଟ ଯୋଗାଇ ଦିଆଯାଇଛି।

ପ୍ରଥମ ପଦକ୍ଷେପ ସ୍ୱରୂପ କିଛି ଟ୍ରାଫିକ ପୁଲିସଙ୍କୁ ବର୍ତ୍ତମାନ ଏଭଳି ହେଲମେଟ ଦିଆଯାଇଛି। ବାସ୍ତବରେ ଟ୍ରାଫିକ ପୁଲିସମାନଙ୍କୁ ସାଧାରଣତଃ ବର୍ଷା ଦିନରେ ରେନକୋଟ ଏବଂ ଶୀତଦିନେ ଜ୍ୟାକେଟ ଯୋଗାଇ ଦିଆଯାଏ। କିନ୍ତୁ ଗ୍ରୀଷ୍ମ ୠତୁରେ ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଖରାରେ ବି ଡ୍ୟୁଟି କରିବାକୁ ପଡେ। ତେବେ ଏସବୁକୁ ନଜରରେ ରଖି ଏସି ହେଲମେଟ ଯୋଗାଇ ଦିଆଯାଇଛି। ଏହା ଦ୍ୱାରା ଟ୍ରାଫିକ ପୁଲିସ୍ କର୍ମଚାରୀମାନେ ଅତ୍ୟଧିକ ଉତ୍ତାପରେ ମଧ୍ୟ ନିଜ କର୍ତ୍ତବ୍ୟକୁ ଭଲ ଭାବରେ କରିପାରୁଛନ୍ତି। ଏହି ହେଲମେଟର ଡିଜାଇନ୍ ସାଧାରଣ ହେଲମେଟ ସହିତ ସମାନ, କିନ୍ତୁ ଏହା ଭିତରେ ଏକ ଫ୍ୟାନ୍ ଅଛି ଯାହା ଏସି ପରି ଥଣ୍ଡା ପବନ ଦେଇଥାଏ। ଥରେ ହେଲମେଟ ଚାର୍ଜ ହେବା ପରେ ଏହାକୁ ଅନେକ ଘଣ୍ଟା ପାଇଁ ବ୍ୟବହାର କରାଯାଇପାରିବ।

Leave A Reply

Your email address will not be published.