Odisha Link
Bridging the Missing Links in Odisha

ଦଳବଦଳ ଚର୍ଚ୍ଚା ଭିତରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ଼ ବୟାନ, କହିଲେ-ମୁଁ ବିଜେଡି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିର ପାରା ଉପରମୁହାଁ। ବିଭିନ୍ନ ଦଳ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି। ଆଜି ଚିଲିକା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି। ଦଳ ରଘୁନାଥ ସାହୁଙ୍କ ପ୍ରାର୍ଥୀ କରିଛି। ଏସବୁ ମଧ୍ୟରେ ବରିଷ୍ଠ ରାଜନେତା ତଥା ଭୁୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଥିଲା। ଏହାକୁ ନିଜେ ଖଣ୍ଡନ କରିଛନ୍ତି ପ୍ରସନ୍ନ। ଚିଲିକା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରସନ୍ନ ପାଟ୍ଟଶାଣୀ ରଖିଛନ୍ତି ବଡ଼ ପ୍ରତିକ୍ରିୟା।

ଦଳବଦଳ ଚର୍ଚ୍ଚା ଭିତରେ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ମୁଁ ଏବେ ବିଜୁ ଜନତା ଦଳରେ ଅଛି। ଦଳର ଶୀର୍ଷ ନେତୃତ୍ବଙ୍କ ଆଦେଶ ମାନି ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରୁଛି। ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼। ରାଜନୀତିରେ ସମୟ କିନ୍ତୁ ବେଶ୍ ବଳବାନ ବୋଲି କହିବା ସହ କିଏ ରହିବ, ଯିବ,ଭବିଷ୍ୟତରେ କଣ ହେବ, ସମୟ ଉପରେ ନିର୍ଭର ବୋଲି କହିଛନ୍ତି ପାଟ୍ଟଶାଣୀ।

ସୂଚନାଥାଉକିି, ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଖୁବ୍‌ଶୀଘ୍ର ବିଜେଡି ଛାଡ଼ି ପଦ୍ମ ଧରିବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଭୁବନେଶ୍ୱରର ୫ ଥରର ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ ପ୍ରସନ୍ନଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଆହୁରି ରୋଚକ କରିଛି।

ସୂଚନାଯୋଗ୍ୟ, ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥର ବି ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ। ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ।

Leave A Reply

Your email address will not be published.