Odisha Link
Bridging the Missing Links in Odisha

ଜଟଣୀ ଆସନରେ ତ୍ରିମୁଖୀ ଲଢେଇ; ସୁରଙ୍କ ବଦଳରେ କାହାକୁ ଚୟନ କରିବେ ଭୋଟର?

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ହେଲେ ଅଟକିଛି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।

ଅନ୍ୟପଟେ, ସବୁଠୁ ରୋଚକ ପାଲଟିଛି ଜଟଣୀ ରାଜନୀତି। ଜଟଣୀ ବିଧାନସଭା ଆସନ ପାଇଁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ସୁର ରାଉତରାୟଙ୍କ ବଦଳରେ ସନ୍ତୋଷ ଜେନାଙ୍କୁ ଦଳ ଟିକେଟ ଦେଇଛି। କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ସମୀକରଣ କଣ ହେବ ତାକୁ ନେଇ ଚର୍ଚା ଜୋର ଧରିଛି।

ସନ୍ତୋଷଙ୍କୁ କଂଗ୍ରେସରେ ସାମିଲ କରିବା ଲାଗି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ କଂଗ୍ରେସ ଭବନରେ ପହଞ୍ଚିଥିଲେ। ଏହାକୁ ଦେଖି ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସଂଗ୍ରାମ ଓ ତାଙ୍କର ସମର୍ଥକ ଏହାକୁ ପ୍ରତିବାଦ କରିବା ପରେ ମିଶ୍ରଣ ପର୍ବ ବନ୍ଦ ରହିଥିଲା। ଆଉ କାହାକୁ ପ୍ରାର୍ଥୀ କରାଗଲେ ଜଟଣୀରେ ତୀବ୍ର ବିରୋଧ କରାଯିବ ବୋଲି ସଂଗ୍ରାମ ଗଣମାଧ୍ୟମରେ କହିଥିଲେ।

ଅନ୍ୟପଟେ ଏହି ଆସନ ପାଇଁ ସଂଗ୍ରାମ, ଅଶୋକ ମଙ୍ଗରାଜ ଆଶାୟୀ ରହିଥିବା ବେଳେ ଦଳ ସନ୍ତୋଷଙ୍କ ନାମ ଘୋଷଣା ପରେ ରାନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ପ୍ରକାଶ ଯେ, ସନ୍ତୋଷ ଛାତ୍ରାବସ୍ଥାରେ ଛାତ୍ର ସଙ୍ଗଠନ ଏବିଭିପିରେ ସକ୍ରିୟ ରହିଥିଲେ। ଭାଜପାରୁ ଥରେ ଜିଲ୍ଲା ପରିଷଦ ସଦସ୍ୟ ରହିଥିଲେ। ୨୦୧୯ରେ ଭାଜପା ତାଙ୍କୁ ଟିକେଟ ନ ଦେବାରୁ ସେ ଦଳ ଛାଡି ବିଜେଡିରେ ଯୋଗଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ତାଙ୍କୁ କିଛି ମାସ ତଳେ ନିଲମ୍ବନ ପରେ ବହିଷ୍କୃତ କରିଥିଲା।

୨୦୨୪ ନିର୍ବାଚନରେ ଟିକେଟ ଆଶାରେ ସେ ଭାଜପାକୁ ଫେରିଥିଲେ। ତେବେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଫଳରେ ସେ ନିରାଶ ହୋଇ ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ମନସ୍ଥ କରିଥିବା ବେଳେ ଏବେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଲୋକ ସଭା ପ୍ରାର୍ଥୀ ପାଇଁ ବହୁଜଣ ଆଶାୟୀ ରହିଥିବା ବେଳେ ୟାସିର ନଓ୍ବାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ସେହିଭଳି ବିଜୁ ଜନତା ଦଳରୁ ଯୁବ ନେତା ବିଭୂତି ବଳବନ୍ତରାୟଙ୍କୁ ଟିକେଟ ମିଳିଥିବାବେଳେ ବିଜେପିରୁ ବିଶ୍ଵରଞ୍ଜନ ବଡ଼ଜେନାଙ୍କୁ ପୁଣିଥରେ ଟିକେଟ ମିଳିଛି। କଂଗ୍ରେସର ସ୍ୱର କୁହାଯାଉଥିବା ସୁର ରାଉତରାୟଙ୍କ ବଦଳରେ ଏଥର କଂଗ୍ରେସ ସନ୍ତୋଷ ଜେନାଙ୍କୁ ଟିକେଟ ଦେଇଛି। ଏହା ପରେ ଅନେକ ବିବାଦ ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏଥର ଜଟଣୀ ବିଧାନସଭା ଆସନ ପାଇଁ ଜଟଣୀ ବାସି କାହାକୁ ଚୟନ କରିବେ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.