ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଓଏଲ୍ ବ୍ୟୁରୋ: ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଥାନାରେ ଅଟକ ରଖାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ ସରେଇପାଲି ଥାନାରେ ବିଶାଲ ଦାସଙ୍କୁ ଅଟକ ରଖିଛି ସେଠାକାର ପୁଲିସ। ବିଶାଲ ଦାସଙ୍କ ସହ କିଛି କିରମିରା ବ୍ଲକ ଅଧିନ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୁଲିସ ଅଟକାଇଥିବା ଜଣାପଡିଛି। ଏହି ଘଟଣାରେ ହସ୍ତକ୍ଷେପ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଶାଲ ଦାସଙ୍କ ସମେତ ଅନ୍ୟାନ୍ୟ PRI ସଦସ୍ୟଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।
ଘଟଣାରେ ପୂର୍ବତନ ବିଧାୟିକା ତଥା ବିଶାଳଙ୍କ ଭଉଣୀ ବିସ୍ଫୋରକ ବୟାନ ଦେଇଥିଲେ। ଦୀପାଳି ଦାସ କହିଛନ୍ତି, ରାଜ୍ୟରେ ଡାରଟି ପଲିଟିକ୍ସ ଚାଲିଛି। କାଲିଠୁ ଖାଇବାକୁ ଦିଆଯାଇନାହିଁ। ଆଜି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଥିବାରୁ ଜାଣିଶୁଣି ଏମିତି କରାଯାଇଥିବା ଦୀପାଳି ଦାସ କହିଥିଲେ।
ଅନ୍ୟପଟେ, ଛତିଶଗଡ଼ର ସରେଇପାଲି ଥାନାରେ ଅଟକ ଅଛନ୍ତି ଏକାଧିକ ପିଆରଆଇ ସଦସ୍ୟ। କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଲାଗି ଗତକାଲି ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ ପିଆରଆଇ ମେମ୍ବର। ବିଶାଲ ଦାଶଙ୍କ ହୋଟେଲରେ ପହଂଚି ଲଇକେରା ଆଇଆଇସି ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ବଲପୁର ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରି ପିଆରଆଇ ସଦସ୍ୟଙ୍କ ଲାଗି ସୁରକ୍ଷା ମାଗିଥିଲେ ନବ ଦାସଙ୍କ ପୁଅ ବିଶାଲ ଦାଶ। ପରେ ତାଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି।