Odisha Link
Bridging the Missing Links in Odisha

ଅନ୍ତିମ ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା, ଆଜି ଉଦଯାପନୀ ଉତ୍ସବ

ଓଏଲ୍‌ ବ୍ୟୁରୋ: ୭୭ତମ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଆଜି ଉଦଯାପନୀ ଦିବସ। ଆଜି ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ , କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ, ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ। କଂସ ବଧରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା।

ମଥୁରାନଗରୀ ବରଗଡ଼ର ମାଟି ଐତିହ୍ୟ ସମ୍ପନ୍ନ। ଏଠାକାର କଳା, ସାହିତ୍ୟ, ସଂସ୍କୃତି ରାଜ୍ୟକୁ ଗୌରବାନ୍ବିତ କରିଛି। ଏ ମାଟିର ଲୋକନାଟକ ଧନୁଯାତ୍ରା ସମଗ୍ର ବିଶ୍ୱରେ ପରିଚିତ ଏବଂ ଆମ ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ ବୋଲି ରବିବାର ବରଗଡ଼ ଧନୁଯାତ୍ରା ମହୋତ୍ସବର ଦଶମ ଦିବସରେ ରାଜ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ୧୯୪୮ ଜାନୁୟାରୀ ୧୨ତାରିଖରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଥିଲା। ଆଉ କଂସ ମହାରାଜଙ୍କ ନିମନ୍ତ୍ରଣକ୍ରମେ ଠିକ୍‌ ସେହି ତାରିଖରେ ରାଜ ଦରବାରରେ ଉପସ୍ଥିତି ଏକ ସୌଭାଗ୍ୟ ମୁହୂର୍ତ୍ତ। କଳିଙ୍ଗ ରାଜ୍ୟ ତଥା ଓଡ଼ିଶା ପ୍ରଦେଶରେ ଯେଉଁ ନୂଆ ସରକାର ଗଠନ ହେଲା ସେହି ସରକାରର ନୂଆ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ପରିଷଦ ମଧ୍ୟ ଜୁନ୍‌ ମାସ ୧୨ତାରିଖରେ ଶପଥ ଗ୍ରହଣ କରିଥଲେ। ତାକୁ ଆଜି ଠିକ୍‌ ୭ ମାସ ପୂରିଛି ଏବଂ ଏଥିପାଇଁ ମଧ୍ୟ ନିଜକୁ ଧନ୍ୟ ମଣୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ, ଧନୁଯାତ୍ରା ଆମ ମାଟିର ମହକ। ଆମ ଇତିହାସର ମୁଖଶାଳା। ଏହା କେବଳ ପଶ୍ଚିମ ଓଡ଼ିଶାର ପାର୍ବଣ ନୁହେଁ, ସମଗ୍ର ଓଡ଼ିଶାର ସ୍ବାଭିମାନ। ପୂର୍ବ ସରକାର ଧନୁଯାତ୍ରାକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଥିଲେ। କିନ୍ତୁ ନୂଆ ସରକାର ଚଳିତବର୍ଷ ମଥୁରାନଗରୀର ପ୍ରଜାମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ମହୋତ୍ସବକୁ ଭବ୍ୟ, ଆକର୍ଷିତ କରିବା ପାଇଁ ସହାୟତା ରାଶିକୁ ୧କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାସହିତ ଧନୁଯାତ୍ରାର ବ୍ୟାପକ ପ୍ରଚାର, ପ୍ରସାର ବ୍ୟାପକ କରିବାକୁ ବ୍ୟୟ ବରାଦ କରାଯିବା ସହିତ ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ମହୋତ୍ସବରେ ଅଭିନୟ କରୁଥିବା ୧୭୦କଳାକାରଙ୍କୁ ପ୍ରଥମଥର ପାଇଁ ୧୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି।

କେବଳ ସେତିକି ନୁହେଁ, ଆଗାମୀ ଏକବର୍ଷ ମଧ୍ୟରେ ୧୨କୋଟି ୮୦ଲକ୍ଷ ଟଙ୍କାରେ ଧନୁଯାତ୍ରାର ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ସେହିପରି ଧନୁଯାତ୍ରାରେ ଯମୁନା ପାଲଟୁଥିବା ଜିରା ନଦୀ ଉପରେ ୮୦କୋଟି ଟଙ୍କା ବ୍ୟୟ ଅଟକଳରେ ଆନିକଟ ନିର୍ମାଣ, ୩୦କୋଟି ଟଙ୍କା ବ୍ୟୟ ଅଟକଳରେ ମଥୁରାନଗରୀ କେନାଲର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଧନୁଯାତ୍ରାର ସ୍ମରଣିକା ‘ଧନୁଷ୍ପ୍ରଭା’ ଉନ୍ମୋଚନ ସହିତ ଗତ ମାଟ୍ରିକ ପରୀକ୍ଷାରେ ଜିଲାରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଥିବା ଛାତ୍ରଛାତ୍ରୀ ଏବଂ ଏପର୍ଯ୍ୟନ୍ତ ଚଳିତ ଧନୁଯାତ୍ରାରେ ଅଭିନୟ ସାରିଥିବା କଳାକାରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।