ମହାରାଷ୍ଟ୍ର: ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବଡ଼ ବୟାନ, କହିଲେ ମହାରାଷ୍ଟ୍ରବାସୀ ଆମକୁ…

ମୁମ୍ବାଇ: ମହାରାଷ୍ଟ୍ର ନାମ ହିଁ ଯଥେଷ୍ଟ। କାହିଁକିନା ସାରା ଦେଶରେ ଏବେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା। ନିର୍ବାଚନ ଫଳାଫଳ ବାହାରିବାର ୯ଦିନ ପରେ ମଧ୍ୟ କିଏ ଗଢ଼ିବ ସରକାର ସେ ନେଇ ସ୍ପଷ୍ଟ ହୋଇନାହିଁ। କିଏ ହେବ ମୁଖ୍ୟମନ୍ତ୍ରୀ। କିଏ କିଏ ମିଶି ବନେଇବେ ସରକାର। ଏସବୁ ନେଇ ଜାତୀୟ ରାଜନୀତିରେ ମଧ୍ୟ ଚହଳ ପକାଇଛି ମହାରାଷ୍ଟ୍ର ରାଜନୀତି। ଶିବସେନା ଏବଂ ଏନସିପି ମିଶି ସରକାର ଗଠନ କରିବା ନେଇ ମଧ୍ୟ ଜୋରଶୋର ଚର୍ଚ୍ଚା ହେଉଛି। ଠିକ୍ ଏହାରି ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଏନସିପି ଦଳର ଅଧ୍ୟକ୍ଷ ଶରଦ ପାଓ୍ବାର। ସେ କହିଛନ୍ତି ଯେ, ମହାରାଷ୍ଟ୍ରବାସୀ ଆମକୁ ବିରୋଧୀ ଦଳ ଆସନରେ ବସିବା ପାଇଁ ନିର୍ବାଚିତ କରିଛନ୍ତି, ଆଉ ଦଳ ମଧ୍ୟ ଏହା କରିବ। ଶରଦଙ୍କ ଏପରି ବୟାନ ପରେ ମହାରାଷ୍ଟ୍ର ରାଜନୀତି ରୋଚକ ମୋଡରେ ଅଛି।
ସୂଚନାଥାଉକି, ବିଜେପି-ଶିବସେନା ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। ଫଳାଫଳ ମଧ୍ୟ ଦୁହିଁଙ୍କ ସପକ୍ଷରେ ଯାଇଥିଲା। ହେଲେ ଶିବସେନାର ୫୦:୫୦ ଫର୍ମୂଲାକୁ ବିଜେପି ଗ୍ରହଣ ନ କରିବାରୁ ଶିବସେନା ତା ଜିଦିରେ ଅଟଳ ରହିଛି। ଅପରପକ୍ଷେ ଶିବସେନା ସାଂସଦ ସଞ୍ଜୟ ରାଉତ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ସାକ୍ଷାତ କରିଥିଲେ। ଯାହା ମହାରାଷ୍ଟ୍ର ରାଜନୀତିକୁ ନୂଆମୋଡ଼ ଦେଇଥିଲା। ଏପରିକି ଶିବସେନା-ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଜୋରଶୋର ଚର୍ଚ୍ଚା ହେଉଥିଲା।
ତେବେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇଯିବ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି।
Comments are closed.