ଦିଲ୍ଲୀ: ଓକିଲ-ପୁଲିସ୍ ହଙ୍ଗାମା ଏଥିପାଇଁ ହୋଇଥିଲା

ନୂଆଦିଲ୍ଲୀ: ତିସ୍ ହଜାରୀ କୋର୍ଟ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ। ଗତକାଲି ଦିଲ୍ଲୀ ପୁଲିସ୍ ମଧ୍ୟ ବିକ୍ଷୋଭ କରିଥିଲା। ଏଥିସହିତ ଏହି ଘଟଣାକୁ ନେଇ ପ୍ରାଥମିକ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏକ ‘ଗୁଜବ’ କାରଣରୁ ଭୁଲ ବୁଝାମଣା ହୋଇଥିଲା ଏବଂ ପରେ ଏହା ତୁମୂଳକାଣ୍ଡର ରୂପ ନେଇଥିଲା। ଏହି ଗୁଜବ ଖୁବ୍ କମ୍ ସମୟରେ ଓକିଲଙ୍କ ମଧ୍ୟରେ ଖେଳିଯିବାରୁ ଏପରି ସମସ୍ୟା ହୋଇଥିବା ସୂଚନା ମିଳିଛି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ୪ ଦିନର ତଦନ୍ତ ପରେ ତଦନ୍ତକାରୀ ଅଧିକେରୀ ସନ୍ଦେହ କରୁଛନ୍ତି ତିସ୍ ହଜାରୀ କୋର୍ଟରେ ଗୁଜବ ପ୍ରଚାର କରାଯାଥିଲା ଯେ, ପୁଲିସ୍ ଓକିଲମାନଙ୍କୁ ହାଜତ ଭିତରେ ପୁରାଇଦେଇଛି। ଏପରିକି ମାଡ଼ ମଧ୍ୟ ମରାଯାଇଥିବା ଗୁଜବ ପ୍ରଚାରିତ ହୋଇଥିଲା।
ସୂଚନାଯୋଗ୍ୟ ଯେ, ନଭେମ୍ବର ୫ରେ ଦିଲ୍ଲୀ ବାର୍ ଆସୋସିଏସନ୍ ନିର୍ବାଚନ ଥିଲା। ଏଥିପାଇଁ ଓକିଲମାନେ ପ୍ରଚାର ପାଇଁ ଆସିଥିଲେ। ଏମାନେ ନିଜ ନିଜ ସମର୍ଥକଙ୍କ ସହ ତିସ୍ ହଜାରୀ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଓକିଲଙ୍କୁ ଘୋଷାଡ଼ି ନିଆଯାଇଥିବା ଏବଂ ମାଡ଼ ମରାଯାଇଥିବା ଭଳି ଗୁଜବ ପ୍ରଚାରିତ ହେବାପରେ ଉତ୍ତ୍ୟକ୍ତ ଓକିଲ ପୁଲିସ୍ ପୋଷ୍ଟ ଏବଂ ଲକ୍ଅପ୍ ଉପରେ ଆକ୍ରମଣ କରିଥିଲେ। ସିସିଟିଭି ଫୁଟେଜ୍ରୁ ସ୍ପଷ୍ଟ ଜଣାପଡ଼ୁଛି ଉଭୟ ପୁଲିସ୍ ଏବଂ ଓକିଲ ସାଙ୍ଗରେ ଯାଉଛନ୍ତି ଏବଂ ଗୁଜବରେ କୁହାଯାଇଥିବା ଭଳି କିଛି ଘଟଣା ଘଟିନି।