ହାଇଦ୍ରାବାଦ୍ ଏନକାଉଣ୍ଟର: ସମର୍ଥନ ଜଣାଇଲେ ଆଇନ୍ ମନ୍ତ୍ରୀ

ଭୁବନେଶ୍ବର: ଆଜି ପୁଲିସ ଭୋର ୩ଟା ସମୟରେ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରାଜ୍ୟର ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି।
ପ୍ରତାପ ଜେନା କହିଛନ୍ତି ଯେ, ୪ ଦୁଷ୍କର୍ମୀଙ୍କୁ ତେଲେଙ୍ଗାନା ପୁଲିସ ମାରିଦେବା ଘଟଣାକୁ ମୁଁ ବ୍ୟକ୍ତିଗତ ଭାବେ ସମର୍ଥନ କରୁଛି। ସେମାନେ ବହୁତ ବଡ଼ ଦୋଷୀ, କଠୋର ଦଣ୍ଡ ଦରକାର ଥିଲା। ଏନେଇ ମାନବାଧିକାର କମିଶନ କଣ କହିବେ ମୁଁ ଜାଣିନାହିଁ । ଏଭଳି ଅପରାଧ ପ୍ରତି ଅନ୍ୟ ଦେଶରେ କୋଠର ଦଣ୍ଡ ଅଛି। କେଉଁଠି ଗୁଳି କରାଯାଉଛି ତ କେଉଁଠି ମୁଣ୍ଡ କାଟି ଦିଆଯାଉଛି। ଆମ ଦେଶରେ ବି କଠୋର ଆଇନ ହେବା ଉଚିତ। କେବଳ କୋର୍ଟ ଉପରେ ନିର୍ଭର କରି ଦିନ ଗଡ଼ାଇବା ଅପେକ୍ଷା ମୁଁ ଭାବୁଛି ସେମାନଙ୍କୁ ଏକ କଠୋର ଦଣ୍ଡ ମିଳିବା ଦରକାର ଥିଲା। ମୁଁ ଭାବୁଛି ହାଇଦ୍ରାବାଦରେ ଯାହା ହୋଇଛି, ଉଚିତ ହୋଇଛି। ଉଚିତ ପଦକ୍ଷେପ ନିଆଯାଇଛି ଏବଂ ସେମାନଙ୍କୁ ଦଣ୍ଡ ମିଳିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।