Odisha Link
Bridging the Missing Links in Odisha

ପକ୍‌ସୋ ଆଇନର କଠୋର କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ବର : ଶିଶୁ ତଥା ନାବାଳକ/ ନାବାଳିକଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ପକ୍‌ସୋ ଆଇନ ଭଳି କଠୋର ଦଣ୍ଡବିଧାନ ଥିବା ଆଇନ୍‍ ପ୍ରଣୟନ କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ଶିଶୁମାନଙ୍କ ପ୍ରତି ହିଂସାକାଣ୍ଡ ସଂଖ୍ୟା ବଡିବାରେ ଲାଗିଛି। ଏହାକୁ ନେଇ ସୁପ୍ରିମ୍‍କୋର୍ଟ ଗଭୀର ଉଦ୍‍ବେଗ ପ୍ରକାଶ କରିବା ସହ ଉଭୟ କେନ୍ଦ୍ର ଏବଂ ଓଡିଶା ସମେତ ସବୁ ରାଜ୍ୟ ସରକାର ଏଭଳି ଘୃଣ୍ୟ ଅପରାଧ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶର କିପରି ଅନୁପାଳନ କରାଯାଉଛି ସେ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ହେବ। ଏହି ମାମଲା ଆସନ୍ତା ୧୨ ତାରିଖରେ ପରବର୍ତ୍ତୀ ଶୁଣାଣି ଥିବାରୁ ରିପୋର୍ଟ ପ୍ରସ୍ତୁତ ଲାଗି ତତ୍ପରତା ପ୍ରକାଶ ପାଇଛି ।

ଶିଶୁମାନଙ୍କ ଉପରେ ବଢି ଚାଲିଥିବା ବଳାତ୍କାର ପ୍ରସଙ୍ଗକୁ ସୁପ୍ରିମ୍‍କୋର୍ଟ ନିଜ ଆଡୁ ଏହାକୁ ଏକ ଅପରାଧିକ ମାମଲା ଭାବେ ଗ୍ରହଣ କରିଛନ୍ତି। ଏଥିସହ ପକ୍‌ସୋ ଆଇନ କିଭଳି କାର୍ଯ୍ୟକାରୀ ହେଉଛି, ସେ ସଂକ୍ରାନ୍ତରେ ରିପୋର୍ଟ ମାଗିଥିଲେ। ତଦନୁଯାୟୀ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ସରକାର ଯେଉଁ ତଥ୍ୟ ଦାଖଲ କରିଛନ୍ତି ସେଥିରୁ ୬ବର୍ଷରୁ କମ୍‍ ବୟସର ୮୦ ପ୍ରତିଶତ ବାଳିକା ଯୌନ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଦୁଷ୍କର୍ମର ଶିକାର ହେଇଥିବା ବେଳେ ୬୦ ପ୍ରତିଶତଙ୍କ ବୟସ ୧୩ରୁ ୧୬ ବର୍ଷ, ୨୨ ପ୍ରତିଶତ ୧୬ରୁ ୧୮ବର୍ଷ ଓ ୧୩ ପ୍ରତିଶତ ୬ରୁ ୧୨ବର୍ଷ ବୟସ୍କ ବୋଲି ଜଣାପଡିଛି। । ରିପୋର୍ଟ ଅନୁଯାୟୀ, ଯୌନ ଶୋଷଣର ଶିକାର ହେଉଥିବା ନାବାଳିକାଙ୍କ ମଧ୍ୟରୁ ୨୭ ପ୍ରତିଶତ ନିଜ ପରିବାର ପରିଜନ ଓ ପଡୋଶୀଙ୍କ ଦ୍ବାରା ହିଁ ଅତ୍ୟାଚାରିତା।

ସରକାରୀ ରିପୋର୍ଟର ସ୍ବୀକାରୋକ୍ତି ଅନୁଯାୟୀ ୯୯ ପ୍ରତିଶତ ଘଟଣାରେ ପୀଡିତାଙ୍କୁ କ୍ଷତିପୂରଣ ଦିଆଯାଉନାହିଁ ଓ ୯୬ ପ୍ରତିଶତରେ ସେମାନଙ୍କୁ ସହାୟକ ବି ଯୋଗାଇବା ସମ୍ଭବ ହୋଇନାହିଁ। ପକସୋ ଆଇନ୍‍ରେ ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ତ୍ବରିତ ମାମଲା ଫଏସଲା ପାଇଁ ବ୍ୟବସ୍ଥା ଥିଲେ ବି ୬୩ ପ୍ରତିଶତ ମାମଲା ବର୍ଷ ବର୍ଷ ଧରି ଗଡୁଛି । ସୁପ୍ରିମ୍‍କୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ପକସୋ ମାମଲା ଗୁଡିକର ବିଚାର ମନ୍ଥରତା ଘେନି ଗଭୀର ଉଦ୍‍ବେଗ ପ୍ରକାଶ କରିଛନ୍ତି। ଏଭଳି ମାମଲାର ତଦନ୍ତ ସହ ଜଡିତ ବ୍ୟକ୍ତିଙ୍କୁ ତାଲିମ ଦେବା, ପର୍ଯ୍ୟାପ୍ତ ସଂଖ୍ୟକ ସ୍ବତନ୍ତ୍ର କୋର୍ଟ ଖୋଲିବା, ସୀମିତ ସମୟ ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟା ଯେପରି ଶେଷହୁଏ ସେ ଦିଗରେ ସକରାତ୍ମକ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ଅଦଲାତ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.