ବିଜେପି ସରକାର ଗଢ଼ିବ : ରଘୁବର

ରାଞ୍ଚି: ଆଜି ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ଗଣତି ଚାଲିଛି। ପ୍ରାରମ୍ଭିକ ଭୋଟ ଗଣତି ରିପୋର୍ଟ ଅନୁଯାୟୀ ଜେଏମଏମ-କଂଗ୍ରେସ-ଆରଜେଡ଼ିର ମେଣ୍ଟ ସରକାର ମ୍ୟାଜିକ ନମ୍ବର ପାଖାପାଖି ରହିଥିବା ବେଳେ ବିଜେପି ସରକାରୁ ଗାଦିଚ୍ୟୁତ ହେବା ଖବର ପ୍ରକାଶ ପାଇଛି। ଫଳରେ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ଓ ନେତା ମିଠା ବାଣ୍ଟି ସରକାର ଗଢ଼ିବେ ବୋଲି ଖୁସି ହେଉଛନ୍ତି। ଏଥିସହିତ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ କର୍ମୀ ଖୁସି ମନାଉଥିବାରୁ ଦୃଶ୍ୟ ମଧ୍ୟ ଦେଖାଯାଇଛି।
ହେଲେ ଏହି ସମୟରେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି, ଫଳାଫଳ ସ୍ପଷ୍ଟ ହୋଇ ନାହିଁ। ଯିଏ ହେଲେ ଖୁସି ମନାଇପାରନ୍ତି। ଏଥିସହିତ ସେ କହିଛନ୍ତି ଯେ, ବିଜେପି ସଂଖ୍ୟା କମ୍ ପାଇଥିଲେ ମଧ୍ୟ ରାଜ୍ୟରେ ସରକାର ଗଢ଼ିବ। ଯାହାକି ରାଜ୍ୟରେ ଆଗାମୀ ଦିନରେ ରାଜନୀତିକ ନାଟକ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ କଂଗ୍ରେସ କହିଛି ମେଣ୍ଟ ସମସ୍ତଙ୍କ ପାଇଁ ଖୋଲା ରହିଛି। ଯିଏ ସାମିଲେ ହେବେ ଆମେ ତାଙ୍କୁ ସ୍ୱାଗତ କରିବୁ। ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ମହାମେଣ୍ଚ ଏଠି କ୍ଲିନ ସୁଇପ କରିବ। ହେମନ୍ତ ସୋରେନଙ୍କ ନେତୃତ୍ୱରେ ମେଣ୍ଟ ଏଠି ସରକାର ଗଢ଼ିବ।
ସୂଚନାଯୋଗ୍ୟ, ଜାମସେଦପୁର ପୂର୍ବ ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜଣେ ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ଠାରୁ ବି ପଛୁଆ ରହିଛନ୍ତି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଏଯାବତ ୧୪୪୭୯ ଖଣ୍ଡ ଭୋଟ ପାଇଥିବାବେଳେ ରଘୁବର ଦାସଙ୍କୁ ୧୩୭୦୮ ଖଣ୍ଡ ଭୋଟ ମିଳିଛି ।