Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ: ବିଜୟ ପଥରେ ମହାମେଣ୍ଟ !

ରାଞ୍ଚି: ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ମୋଦି ସରକାରକୁ ଲାଗିଛି ଜୋରଦାର ଝଟକା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଝାଡ଼ଖଣ୍ଡରୁ ବିଜେପି ଗାଦିଚ୍ୟୁତ ହେବ ବୋଲି ଭୋଟ ଗଣତି ଫଳାଫଳରୁ ସଂକେତ ମିଳୁଛି। ୮୧ଟି ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ମହାମେଣ୍ଟ ସରକାର ଗଢ଼ିବେ ବୋଲି ଭୋଟ ଗଣତି ରିପୋର୍ଟରୁ ଆକଳନ ହୋଇଛି। ଏହି ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୨୮ଟି ଆସନରେ ଆଗୁଆ ରହିଛି। ନିଜେ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ଜାମସେଦପୁର ବିଧାନସଭା ଆସନରେ ପ୍ରତିପକ୍ଷ ପ୍ରାର୍ଥୀ ସର୍ଯ୍ୟୁ ରାୟଙ୍କ ପାଖରୁ ଭୋଟ ଗଣତି ବେଳେ ପଛରେ ଚାଲିଥିବା ଦେଖିବାକୁ ମିଳିଛି।

୮୧ ବିଧାନସଭା ଆସନରୁ ବିଜେପି ୨୮, ଜେଏମଏମ ୨୬, କଂଗ୍ରେସ ୧୧, ଆରଜେଡି ୫, ଜେଭିଏମ(ପି) ୪ ଏବଂ ଏଜେଏସୟୁପି ୩ଟି, ଏନସପି ୧, ବହୁଜନ ସମାଜ ପାର୍ଟି ୧, ସିପିଆଇ ଏମ୍ ୧, ସ୍ୱାଧୀନ ପ୍ରାର୍ଥୀ ୧ ଆସନରେ ଆଗୁଆ ରହିଛନ୍ତି। ବିଜେପି ୩୪ ପ୍ରତିଶତ ଭୋଟ୍ ପାଇଛି। ଯାହାକି ସର୍ବାଧିକ। ୨୦୧୪ରେ ବିଜେପି ଏଠାରେ ୩୭ଟି ଆସନ ଏକାକୀ ଜିତି ଏଜେଏସୟୁ ସହ ମେଣ୍ଟ କରି ସରକାର ଗଢ଼ିଥିଲା।

ମହାମେଣ୍ଟ ବହୁମତ ପାଖାପାଖି ରହିଥିବାରୁ ଜେଏମଏମ ମେଂଟ ସରକାର ଗଢିବା ଆଶା ଏକ ପ୍ରକାର ଚୂଡାନ୍ତ ବୋଲି କୁହାଯାଉଛି। ଯଦି ଏପରି ହୁଏ ତେବେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ରହିଛି। ବିଜେପି ନିର୍ବାଚନରେ ଏକାକୀ ଓହ୍ଲାଇଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜନତା ଦ ସହ ହାତ ମିଳାଇଥିଲା କଂଗ୍ରେସ। ୨୪ ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ ବିଧାନସଭା ଆସନ ପାଇଁ ଗଣତି ଚାଲିଛି। ଜେଏମଏମ ମେଂଟ ବହୁମତ ପାଖାପାଖି ଥିବା ବେଳେ ଖୁସିର ମାହୋଲ ଦେଖାଦେଇଛି। ବାଣ ଫୁଟାଇ , ମିଠା ବାଂଟି କର୍ମୀ ଉତ୍ସବ ମନାଉଛନ୍ତି ।

Comments are closed.