ଆତଙ୍କବାଦକୁ ନେଇ ଧର୍ମର ରାଜନୀତି କରିବା କଂଗ୍ରେସର ସଂସ୍କୃତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ୨ ଆତଙ୍କବାଦୀଙ୍କ ସମେତ ଗିରଫ ହୋଇଛନ୍ତି ଡିଏସପି ଦେବିନ୍ଦର ସିଂହ। ବର୍ତ୍ତମାନ ସମୟରେ ଏମାନଙ୍କୁ ନେଇ ପୁଲିସ୍ ପକ୍ଷରୁ ପଚରାଉଚରା କରାଯାଉଛି। ଅନ୍ୟପଟେ ଡିଏସପିଙ୍କ ଗିରଫଦାରୀଙ୍କୁ ନେଇ ରାଜନୀତି ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ କଂଗ୍ରେସ ମୁଖପାତ୍ର ସୁରଜବାଲା କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ବିଜେପି ମଧ୍ୟ କଂଗ୍ରେସକୁ ସମାଲୋଚନା କରିଛି ଏବଂ କଂଗ୍ରେସ ଦଳ ପାକିସ୍ତାନର ଭାଷା କହୁଛି ବୋଲି କହିଛି ଭାଜପା।
ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଆଜି କଂଗ୍ରେସ ଯେଉଁ ପରି ବ୍ୟବହାର କରିଛି ତାହା ଲୋକତନ୍ତ୍ର ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ସଦୃଶ୍ୟ। କଂଗ୍ରେସ ଦଳ ସବୁଦିନ ପାକିସ୍ତାନକୁ ଖୁସି କରୁଛନ୍ତି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ମୁଖପାତ୍ର ରଣଦୀପ ସୁରଜବାଲାଙ୍କ ମନ୍ତବ୍ୟକୁ ଭାଜପା ଘୋର ନିନ୍ଦା କରୁଛି। କଂଗ୍ରେସ ଆତଙ୍କବାଦକୁ ଧର୍ମ ସହ ଯୋଡ଼ିବାକୁ ଚେଷ୍ଟା କରିଛି। ଏପରିକି କଂଗ୍ରେସ ଦଳ ହିନ୍ଦୁ ଆତଙ୍କବାଦ ଭଳି ଶବ୍ଦର ସୃଷ୍ଟି କରିଛି ବୋଲି ଶ୍ରୀ ପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏଥିସହିତ ଆତଙ୍କବାଦକୁ ନେଇ ଧର୍ମର ରାଜନୀତି କରିବା କଂଗ୍ରେସର ସଂସ୍କୃତି ବୋଲି କହିଛନ୍ତି ସମ୍ବିତ ପାତ୍ର।