Odisha Link
Bridging the Missing Links in Odisha

ନିର୍ଭୟା ମାମଲା : ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅବେଦନ କରାଯାଇଥିବା କ୍ୟୁରେଟିଭ ପିଟିସନକୁ ଖାରଜ କରିଛି ସୁପ୍ରିମ୍‌ କୋର୍ଟ। ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଦୋଷୀ ପବନ ଓ ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନ୍ ଦାଖଲ କରିଥିଲେ। ସୁପ୍ରିମ କୋର୍ଟର ୫ ଜଣିଆ ଖଣ୍ଡପୀଠରେ ଏହି ପିଟିସନକୁ ଖାରଜ କରିଛନ୍ତି। ବିଚାରପତି ଏନ ଭି ରମନ୍ନା, ଅରୁଣ ମିଶ୍ରା, ଆର୍‌ ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣ ଏହି ମାମଲାର ଶୁଣାଣି କରିଛିନ୍ତି। ତେବେ ଫାଶି ପାଇଁ ଏବେ ରାସ୍ତା ସଫା ହୋଇ ଯାଇଛି ବୋଲି କହି ହେବ। ଏବେ କେବଳ ଦୋଷୀଙ୍କ ପାଖରେ ରାଜକ୍ଷମା ହିଁ ଗୋଟିଏ ଦିଗ।

ସୂଚନାଥାଉକି, ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ‌୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ। ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଅରୋରା ଦୋଷୀମାନଙ୍କୁ ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନା ଶୁଣାଇ ସାରିଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ତେବେ ୪ ଜଣଙ୍କ ମଧ୍ୟରୁ ୨ ଜଣ ଦୋଷୀ ମୁକେଶ ଏବଂ ବିନୟ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ।

କ୍ୟୁରେଟିଭ ପିଟିସନ କ’ଣ?
କ୍ୟୁରେଟିଭ ପିଟିସନ ହେଉଛି ଏକ ଆଇନ ଶବ୍ଦ। ଯେତେବେଳେ ଅପରାଧୀଙ୍କ ପୁନର୍ବିଚାର ନିବେଦନକୁ ସର୍ବୋଚ୍ଚନ୍ୟାୟାଳୟ ଅଗ୍ରାହ୍ୟ କରିଦିଅନ୍ତି ଓ ରାଷ୍ଟ୍ରପତି ରାଜକ୍ଷମାକୁ ନା କରନ୍ତି ସେତେବେଳେ କ୍ୟୁରେଟିଭ ପିଟିସନ ହିଁ ସେମାନଙ୍କ ଲାଗି ଶେଷ ରାସ୍ତା ହୋଇ ରହିଯାଏ। ଏହି ନିବେଦନ ଦ୍ୱାରା ଅପରାଧୀ ତାଙ୍କ ପ୍ରତି ନିର୍ଦ୍ଧାରିତ ଦଣ୍ଡକୁ କୋହଳ କରିବା ଲାଗି ନିବେଦନ କରିପାରନ୍ତି। କୌଣସି ମାମଲାରେ ଦୋଷୀଙ୍କ ଲାଗି କୋର୍ଟରେ କ୍ୟୁରେଟିଭ ପିଟିସନ ଶେଷ ଶୁଣାଣି। ଏହି ନିବେଦନର ନିଷ୍ପତ୍ତି ପରେ ଦୋଷୀଙ୍କୁ ଅନ୍ୟ କୌଣସି ଆଇନଗତ ସହାୟତା ମିଳିପାରନଥାଏ।

ତେବେ କୋର୍ଟରେ ନିର୍ଭୟା ଅପରାଧୀଙ୍କ କ୍ୟୁରେଟିଭ ପିଟିସନ ପ୍ରଥମ ନୁହେଁ। ମୁମ୍ବାଇ ସିରିଏଲ ବ୍ଲାଷ୍ଟ ଅପରାଧୀ ଲାଗି କ୍ୟୁରେଟିଭ ପିଟିସନ ଶୁଣାଣି କରିଥିଲେ କୋର୍ଟ। ଅତୀତରେ ରାଷ୍ଟ୍ରପତି ୟାକୁବ ମେମନର ରାଜକ୍ଷମା ନିବେଦନ ଅଗ୍ରାହ୍ୟ କରିବା ପରେ ଓକିଲଙ୍କ ଦ୍ୱାରା କ୍ୟୁରେଟିଭ ପିଟିସନ ଦାୟର ହୋଇଥିଲା। ଏଥି ଲାଗି କୋର୍ଟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୃତ୍ୟୁଦଣ୍ଡର ଶେଷ ନିବେଦନ ଉପରେ ଶୁଣାଣି କରିଥିଲେ। ହେଲେ ଶେଷରେ ଦଣ୍ଡ କାୟମ ରହିଥିଲା।

Comments are closed.