Odisha Link
Bridging the Missing Links in Odisha

ଦିଲ୍ଲୀ ଦଙ୍ଗା: ଆପ୍‌ ନେତାଙ୍କ ଘରୁ ମିଳିଲା ପେଟ୍ରୋଲ ବୋମା ଓ ପଥର!

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଅଶାନ୍ତ। ଦିଲ୍ଲୀ ଦଙ୍ଗାରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ଜୀବନ ଚାଲିଗଲାଣି। ଦଙ୍ଗାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଏବଂ ଅପବାଦର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଏହି ଦଙ୍ଗା ପଛରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି। ଦଙ୍ଗା ସମୟରେ ହୁସେନ ନାଲି ରଙ୍ଗର ସ୍ଵେଟର ପିନ୍ଧି ନିଜ ଘର ଛାତ ଉପରେ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଅଂଶୁମାନ ନାମକ ଜଣେ ବ୍ୟକ୍ତି ଟୁଇଟରେ ତାହିର ହୁସେନଙ୍କ ଛାତ ଉପରେ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିବା ନେଇ ଟୁଇଟ କରିଛନ୍ତି।

ଏହା ପୂର୍ବରୁ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ଏକ ନାଳରୁ ମିଳିଥିଲା। ଅଙ୍କିତ ଘରକୁ ଫେରୁଥିବାବେଳେ ଦଙ୍ଗାକାରୀମାନେ ତାଙ୍କୁ ଘର ନିକଟରୁ ଭିଡି ନେଇ ମାଡ଼ ମାରିଥିଲେ। ପରେ ତାଙ୍କ ତଣ୍ଟିକୁ କାଟିଦେବା ସହିତ ଗୁଳି କରି ଡ୍ରେନରେ ଫିଙ୍ଗି ଚାଲିଯାଇଥିଲେ। ଏହା ପଛରେ ହୁସେନଙ୍କ ହାତ ଥିବା ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଆପ୍‌ ନେତା ହୁସେନ କହିଛନ୍ତି, ମୁଁ ଜଣେ ଶାନ୍ତିପୂର୍ଣ୍ଣ ଭାରତୀୟ ମୁସଲମାନ। ସେ ସର୍ବଦା ହିନ୍ଦୁ-ମୁସଲମାନଙ୍କ ସମ୍ପର୍କ ସୁଦୃଢ଼ ହେବା ଦିଗରେ କାମ କରନ୍ତି ବୋଲି କହିଛନ୍ତି। ଏଥିସହିତ ଭିଡିଓ ଭାଇରାଲ ହେବା ଏବଂ ଘରୁ ପେଟ୍ରୋଲ ବୋମା ମିଳିବା ପରେ ଦଙ୍ଗାରେ ତାଙ୍କର କୌଣସି ଭୂମିକା ନ ଥିବା ତାହିର ହୁସେନ କହିଛନ୍ତି। ହିଂସା ସମୟରେ ଦଙ୍ଗାକାରୀମାନେ ତାଙ୍କ ଘରକୁ କବ୍‌ଜା କରିନେଇଥିଲେ ବୋଲି ସେ କହିଛନ୍ତି।