Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ, ସୋନିଆ କହିଲେ..

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ। ଦିନକୁ ଦିନ ବଢ଼ୁଛି ହିଂସା ଯୋଗୁୁଁ ମୃତକଙ୍କ ସଂଖ୍ୟା। ଅପରପକ୍ଷେ ଆଜି ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନନ୍ଦ ଶର୍ମା ଆଦି ବିଭିନ୍ନ ନେତା ସାମିଲ ଅଛନ୍ତି। ସାକ୍ଷାତକରି ରାଷ୍ଟ୍ରପତି କୋବିନ୍ଦଙ୍କୁ ସ୍ମାରକପତ୍ର ଦେଇଛି କଂଗ୍ରେସ।

ରାଷ୍ଟ୍ରପତିଙ୍କୁ ଭେଟ କରିବା ପରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଗୃହ ମନ୍ତ୍ରୀ ଅମିତ ଶାହା ଓ ପୋଲିସ ଦିଲ୍ଲୀ ହିଂସାକୁ ବନ୍ଦ କରିବାରେ ବିଫଳ ହୋଇଛନ୍ତି। ହିଂସା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଉପଯୁକ୍ତ ପଦକ୍ଷେପ ଦେଇନଥିବାରୁ ଏଭଳି ସ୍ଥିତି ଉପୁଜିଛି।’

ଅମିତ ଶାହାଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇବାକୁ କଂଗ୍ରେସ ଦାବି କରିଛି। ଏହା ସହ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଆଶା ରହିଛି କି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଚିତ୍ ପଦକ୍ଷେପ ନେବେ। ଦିଲ୍ଲୀରେ ଯାହା ହେଉଛି ତାହା ଲଜ୍ଜାଜନକ। ହିଂସାକୁ ନେଇ ରାଷ୍ଟ୍ରପତି ରାଜଧର୍ମ ପାଳନ କରନ୍ତୁ।’

Comments are closed.