ରାଜ୍ୟସଭା ନିର୍ବାଚନ: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ବର: ଆଜି ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି। ଓଡ଼ିଶାର ୪ଟି ଆସନ ଖାଲି ପଡୁଛି। ଏହି ସବୁ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ଆଜିଠାରୁ ହିଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ତାରିଖ। ସେହିପରି ୧୬ରେ ଯାଞ୍ଚ ଓ ୧୮ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହାପରେ ୨୬ରେ ହେବ ନିର୍ବାଚନ। ଅନୁଭବ ମହାନ୍ତି ଓ ନରେନ୍ଦ୍ର ସ୍ୱାଇଁଙ୍କ ଜାଗାରେ ନିର୍ବାଚନ ହେବ । ଅନ୍ୟପଟେ ସରୋଜିନୀ ହେମ୍ବ୍ରମ ଓ ରଞ୍ଜୀବ ବିଶ୍ୱଳଙ୍କ କାର୍ଯ୍ୟକାଳ ମଧ୍ୟ ସରୁଛି।
୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ କରିବାକୁ କିଛି ଦିନ ତଳେ ନିର୍ବାଚନ କମିଶନ ଘୋଷଣା କରିଥିଲେ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ରାଜ୍ୟସଭା ଆସନ ଯିବା ନିଶ୍ଚିତ। ଚତୁର୍ଥ ଆସନ ପାଇଁ ଟଣାଓଟରା ଲାଗି ରହିଛି। ବିଜେଡି-ବିଜେପି ସହମତିରେ ପ୍ରାର୍ଥୀ ଦେବେ ନା ବିଜେଡି ଏହି ଆସନ ଏକାକୀ ହାସଲ କରିବାକୁ ଚାହିଁବ,ତାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି।