ନୃଶଂସ: କରୋନା ଯୋଦ୍ଧାଙ୍କ ମୁହଁରେ ଢାଳିଦେଲେ ତତଲା ପେଜ

ନୟାଗଡ଼: ଜିଲ୍ଲାର ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଗେନେଗେଣ୍ଡା ଗାଁରେ ଏକ ଅତି ନାରକୀୟ କାର୍ଯ୍ୟ ଦେଖିବାକୁ ମିଳିଛି। କରୋନା ଯୁଦ୍ଧରେ ସାମିଲ ଜଣେ ଆଶାକର୍ମୀ ଗାଁକୁ ଯାଇ କରୋନା ସମ୍ପର୍କରେ ସଚେତନ କରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ମୁହଁରେ ଗରମ ପେଜ ଢାଳି ଦେଇଥଇବା ଅଭିଯୋଗ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚିବା ବେଳକୁ ମୁଖ୍ୟ ଅଭିଯୁକ୍ତ ମନୁ ନାୟକ ଫେରାର ଥିବା ଜଣାପଡ଼ିଛି। ଗେନେଗେଣ୍ତା ଗ୍ରାମର ଆଶା କର୍ମୀ ମାଧୁରୀ ନାୟକ ଓ ମନୁ ନାୟକଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ଶତ୍ରୁତା ଲାଗି ରହିଥିଲା। ଗତକାଲି ସକାଳେ ମାଧୁରୀ କରୋନା ସଂକ୍ରମଣ ସମ୍ପର୍କରେ ଗ୍ରାମରେ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ତ ହୋଇଥିଲା। ଏଥିରେ ଉକ୍ଷୀପ୍ତ ହୋଇ ମନୁ ନାୟକ ମାଧୁରୀଙ୍କ ଉପରକୁ ତତଲା ପେଜ ଢାଳି ଦେଇଥିଲେ। ଗୁରୁତର ଅବସ୍ଥାରେ ମାଧୁରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ମାଧୁରୀଙ୍କ ସ୍ବାସ୍ଥ୍ୟବାସ୍ଥା ଏବେ ଭଲ ଥିବା ଜଣାପଡ଼ିଛି।