ବାହା ବେଦିରେ ଭୋ ଭୋ କାନ୍ଦିଥିଲେ ଭବାନୀଚରଣ

ଭୁବନେଶ୍ବର: ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଉଦବୁଦ୍ଧ ହୋଇ ମାତ୍ର ୧୨ ବର୍ଷ ବୟସରେ ପାଠପଢ଼ା ଛାଡ଼ି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଜଣାଶୁଣା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭବାନୀଚରଣ ପଟ୍ଟନାୟକ। ନିମାପଡ଼ା ଥାନା ପୋଡ଼ିରେ ସଂପୃକ୍ତ ଥିବା ଅଭିଯୋଗରେ ସେହି ବର୍ଷ ଇଂରେଜ ଫୌଜ ତାଙ୍କୁ ଗିରଫ କରିଥିଲେ। ତାଙ୍କ ଅପରାଧ ପ୍ରମାଣିତ ହେବା ପରେ ତାଙ୍କୁ ୩ ବର୍ଷ ୧୦ ମାସ ଜେଲ ଦଣ୍ଡାଦେଶ ସାଙ୍ଗକୁ ୫୦ ଟଙ୍କା ଜରିମାନା ହୋଇଥିଲା।
ପ୍ରଥମେ ପୁରୀ କାରାଗାରରେ ପ୍ରାୟ ଅଢ଼େଇ ବର୍ଷ ଓ ତା ପରେ କଟକ ଜେଲରେ ପ୍ରାୟ ଦେଢ଼ ବର୍ଷ ବିତାଇଥିଲେ ଭବାନୀଚରଣ। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ସଂଗ୍ରାମୀମାନେ ଜେଲରେ ନିଜ କାମ ନିଜେ କରୁଥିଲେ। ଜେଲରେ ବନ୍ଦୀମାନଙ୍କ ପାଇଖାନା ସଫା କରିବା ସହ ନିଜ ରୋଷେଇ ନିଜେ କରୁଥିଲେ ଭବାନୀ ଚରଣ। ୧୯୪୬ ମେ’ ୧ ତାରିଖରେ ସେ ଜେଲରୁ ମୁକ୍ତ ହେଲେ।
ସେତେବେଳକୁ ସଂଗ୍ରାମୀ ଭାବେ ଭବାନୀଚରଣଙ୍କର ପ୍ରସିଦ୍ଧି ବଢ଼ିଥାଏ। ଜେଲ୍ରୁ ଫେରି ସେ ଗାଁ ଗାଁ ବୁଲି ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ପ୍ରତିଷ୍ଠା ପାଇଁ ଲୋକଙ୍କୁ ବୁଝାଉଥା’ନ୍ତି। କମ୍ ବୟସରେ ବିବାହ କରିବା ସେ ସମୟରେ ଏକ ଗ୍ରହଣୀୟ ପ୍ରଥା ଥିଲା। ୧୯୪୬ରେ ଭବାନୀଙ୍କୁ ମାତ୍ର ୧୬ ବର୍ଷ ବୟସ। ତାଙ୍କ ପାଇଁ ମଧ୍ୟ ପ୍ରସ୍ତାବ ଆସୁଥାଏ। ବସନ୍ତ ମଞ୍ଜରୀ ଦେବୀଙ୍କ ସହ ତାଙ୍କର ବାହାଘର ସ୍ଥିର ହେଲା। ତେବେ ତାରିଖ ଠିକ ହେଲା ୩୦ ଜାନୁଆରି ୧୯୪୮।
୧୯୪୭ରେ ଦେଶ ସ୍ବାଧୀନ ହେଲା। ଏହାର ୬ ମାସ ପରେ ଭବାନୀଙ୍କ ବାହାଘର। ବାହାଘର ଚାଲିଥାଏ। ଭବାନୀ ଓ ବସନ୍ତ ମଞ୍ଜରୀ ବିବାହ ବେଦିରେ ବସିଥା’ନ୍ତି। ସଂଗ୍ରାମୀ ବନ୍ଧୁମାନେ ବହୁ ସଂଖ୍ୟାରେ ଏ ଉତ୍ସବରେ ଯୋଗ ଦେଇଥା’ନ୍ତି। ହଠାତ ପହଞ୍ଚିଲା ଦୁଃଖଦ ଖବର- ଗାନ୍ଧିଜୀଙ୍କୁ କେହି ଗୁଳି କରି ହତ୍ୟା କରିଛି।
ମହାତ୍ମା ଗାନ୍ଧିଙ୍କ ମୃତ୍ୟୁ ଖବର ଶୁଣି ସେହି ବିବାହ ବେଦିରେ ଭୋ ଭୋ କାନ୍ଦିଥିଲେ ଭବାନୀ। ତାଙ୍କ ସାଙ୍ଗରେ ବସନ୍ତ ମଞ୍ଜରୀ ମଧ୍ୟ କାନ୍ଦି ଉଠିଥିଲେ। ହାତଗଣ୍ଠି ପଡ଼ିବା ଆଗରୁ ସେ ବେଦିରୁ ଉଠି ଆସିଲେ। ଆଇ କି ବାହାଘରରେ ତାଙ୍କର ମନ ଲାଗୁଥାଏ। ସେଦିନ ବିବାହ ହୋଇପାରିବ ନାହିଁ ବୋଲି ସେ ରୋକ୍ ଠୋକ୍ ଶୁଣାଇ ଦେଲେ। ତେବେ ବନ୍ଧୁମାନଙ୍କ ବୁଝାସୁଝା ପରେ କୌଣସି ପ୍ରକାରେ ସେଦିନ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି ଏକାଦଶାହ। ଚଳିତ ମେ’ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ୩ ଦିନ ପୂର୍ବରୁ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିଲେ ଭବାନୀଚରଣ ପଟ୍ଟନାୟକ।
ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକଙ୍କର ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ କରିଥିବା ଭବାନୀଚରଣ ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।