ରାସ୍ତା କଡରେ ଦୀପ ଦୋକାନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ଲାଗୁ କରାଯାଉଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ରାସ୍ତା କଡରେ ଦୀପ ଦୋକାନ ଖୋଲିବାକୁ ମନା କରାଯାଇଛି। କେବଳ ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ ଖୋଲିବାକୁ ଅନୁମତି ମିଳିବ। ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଯଦି କୌଣସି ବ୍ୟବସାୟୀ କିମ୍ବା ବ୍ୟକ୍ତି ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ହେବ। ଏନେଇ ଆଜି ଭୁବନେଶ୍ୱର ମହାନିଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ରାସ୍ତା କଡରେ ଦୀପ, ମହମବତୀ ମଧ୍ୟ ବିକି ପାରିବେ ନାହିଁ। ବିକ୍ରି ନେଇ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରାଯାଇଛି। ସେଥିପାଇଁ ଅନୁମତି ନେବାକୁ ପଡ଼ିବ। ଅସ୍ଥାୟୀ ଦୋକାନ ପାଇଁ ସ୍ଥାନ ଚିହ୍ନଟ ହୋଇଛି, ସେଥିପାଇଁ ଜେଡିସି ପାଖରେ ଆବେଦନ କରିବାକୁ ପଡ଼ିବ। ଚେକିଂ ଓ ଅନୁଧ୍ୟାନ ପାଇଁ ୫ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଥିବା ବିଏମସି କମିଶନର ସୂଚନା ଦେଇଛନ୍ତି।
ସେହଭଳି ବିବାହ ଋତୁକୁ ଲକ୍ଷ୍ୟ କରି ହୋଟେଲ ଏବଂ ମଣ୍ଡପ ପାଇଁ ଏସଓପି ଜାରି ହୋଇଛି। ବାହାଘରରେ ୨୦୦ ଜଣ ଯୋଗ ଦେଇପାରିବେ। ଥଣ୍ଡା, ଜ୍ୱର ଭଳି କିଛି ଲକ୍ଷଣ ଥିଲେ ବାହାଘରରେ ସାମିଲ୍ ହୋଇପାରିବେ ନାହିଁ। ବିବାହ ମଣ୍ଡପରେ ସାନିଟାଇଜର ରଖିବା ସହ ୨ ମିଟର ସାମାଜିକ ଦୂରତା ରକ୍ଷା କରାଯିବ। ଥାନାରୁ ଓ ସ୍ଥାନୀୟ ଅଧିକାରୀ ଦେଇଥିବା ଅନୁମତି ଅନୁସାରେ ବିଏମସି ମନିଟର କରିବ। ବିଏମସି କର୍ମଚାରୀ ହୋଟେଲ ଏବଂ ମଣ୍ଡପ ଯାଇ ଚେକିଂ କରିବେ।