Odisha Link
Bridging the Missing Links in Odisha

ଡିସେମ୍ବର ପହିଲାରୁ ଦ୍ଵିତୀୟ ଇକୋ ରିଟ୍ରିଟ୍

ପୁରୀ: ଶୀତ ଦିନ ଆସିବା ସହ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍। ଚଳିତ ବର୍ଷ ରାମଚଣ୍ଡୀଠାରେ ଆରମ୍ଭ ହେବ ଦ୍ଵିତୀୟ ଇକୋ ରିଟ୍ରିଟ୍‌। ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଏହି ରିଟ୍ରିଟ୍‌ ହେବ। ପର୍ଯ୍ୟଟକଙ୍କ ପାଇଁ ୩ ମାସ ଧରି ଚାଲିବାକୁ ଥିବା ଏହି ଦ୍ଵିତୀୟ ଇକୋ ରିଟ୍ରିଟ୍‌ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଫେଷ୍ଟିଭାଲର ପ୍ରସ୍ତୁତି କାର୍ଯ୍ୟକୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସମୀକ୍ଷା କରିଛନ୍ତି। କୋଭିଡ୍‌ ଗାଇଡ୍‌ ଲାଇନ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରି ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଫେବୃଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଚାଲିବ।

ଚଳିତ ବର୍ଷ ୩ ମାସ ପାଇଁ ୫୦ଟି କଟେଜରେ ପର୍ଯ୍ୟଟକ ମାନେ ରହିବାର ବ୍ୟବସ୍ଥା କରାଯାଇଛି। କୋଣାର୍କ ସମେତ ରାଜ୍ୟର ୪ ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍‌ ସୁବିଧା। ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁତଳେ ତାରକା ହୋଟେଲ ଏବଂ ବାର୍‌ର ସୁବିଧା ପାଇପାରିବେ। ଏଥିସହ ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ରହିଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି। କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ପୁଣି ଚଳଞ୍ଚଚଳ ହେବ ବୋଲି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆଶା ରଖିଛି।

ପୂର୍ବ ବର୍ଷ ଚନ୍ଦ୍ରଭାଗାରେ ଆୟୋଜିତ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରିଥିଲେ ତେଣୁ ଏହାକୁ ପୁଣିଥରେ ବିଭିନ୍ନ ସ୍ଥାନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଚଳିତବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗିବାଡ଼ି, ସାତକୋଶିଆ, ଭିତରକନିକାରେ ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି। କଟେଜ ବୁକିଂ ପାଇଁ ବିଭାଗ ପକ୍ଷରୁ ଏଯାବତ କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ। ଏଥିସହ ସାତକୋଶିଆ, ହୀରାକୁଦ, ଦାରିଙ୍ଗିବାଡ଼ିରେ ୨୫ଟି ଏବଂ ଭିତରକନିକାରେ ୧୫ଟି କଟେଜ୍‌ ବ୍ୟବସ୍ଥା କରାଯାଉଛି।

Comments are closed.