୩ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର: କରୋନା ମହାମାର କଟକଣା ଯୋଗୁ ରାଜ୍ୟରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ୨୦୨୧ ଜାନୁଆରୀ ୩ରୁ ଖୋଲାଯିବ। ମନ୍ଦିରମାଳିନୀ ନଗରୀ ଭୁବନେଶ୍ବରରେ ୨୦୨୧ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିପାରିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ବରରେ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ କିଛି ସର୍ତ୍ତ ରଖାଯାଇଛି। ରାଜଧାନୀରେ ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ ପରିଚାଳନା କମିଟିଗୁଡ଼ିକୁ କୋଭିଡ୍ ଗାଇଡଲାଇନ୍ ସୁନିଶ୍ଚିତ କରିବାକୁ ପଡ଼ିବ। ଏହାସହିତ ଧାର୍ମିକ ପରିଚାଳନା କମିଟିଗୁଡ଼ିକ ବିଏମସିକୁ ଏକ ଅଣ୍ଡରଟେକିଂ ଦେବେ। ଯେଉଁଥିରେ ସେମାନେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସମସ୍ତ ପ୍ରକ୍ରିୟା ଉଲ୍ଲେଖ କରିବାକୁ ପଡ଼ିବ।
ଧାର୍ମିକ ଅନୁଷ୍ଠାନ ପରିସର ଭିତରେ କେତେ ଶ୍ରଦ୍ଧାଳୁ ରହିପାରିବା ବ୍ୟବସ୍ଥା ରହିଛି ଏବଂ ଏକାଥରେ କେତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ଭିତରକୁ ଯିବା ପାଇଁ ଅନୁମତି ଦିଆଯିବ ତାହା ଅଣ୍ଡରଟେକିଂରେ ଉଷ୍ଲଖ କରିବେ। ଏହି ଅଣ୍ଡରଟେକିଂ ଆଧାରରେ ବିଏମସି ପକ୍ଷରୁ ସେମାନଙ୍କୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯିବ। ଏହାବ୍ୟତୀତ ଧାର୍ମିକ ଅନୁଷ୍ଠାନ ପରିସର ଭିତରକୁ ସଠିକ୍ ଭାବେ ସାନିଟାଇଜ୍ କରାଯାଇଛି କି ନାହିଁ, ତାହା ବିଏମସି ତଦାରଖ କରିବ। ବର୍ତ୍ତମାନ ଧାର୍ମିକ ସଭା ଆୟୋଜନ ଏବଂ ବଡ଼ ଧରଣର ପୂଜାର୍ଚ୍ଚନା ଓ ହୋମଯଜ୍ଞକୁ ବାରଣ କରାଯାଇଛି।
ଯେଉଁ ଧାର୍ମିକ ଅନୁଷ୍ଠାନଗୁଡ଼ିକ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଙ୍ଘନ କରିବେ ସେମାନେଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକଡାଉନ୍ ଓ ସଟଡାଉନ୍ ଜାରି କରାଯାଇଥିଲା। ତେଣୁ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ତେବେ କେନ୍ଦ୍ର ସରକାର ପକ୍ଷରୁ ବହୁ ଆଗରୁ କରୋନା ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଖୋଲିପାରିବେ ଅନୁମତି ଦେଇସାରିଛନ୍ତି। ଏପରିକି କେନ୍ଦ୍ର ସରକାର ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଥିଲେ।