ଡାକ୍ତରଖାନା ଫେରାଇଦେଲା, ଅଟୋରେ ହେଲା ସନ୍ତାନ ପ୍ରସବ

ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବାଟବଣା ହେଉଛି ଜନନୀ ସୁରକ୍ଷା ଯୋଜନା। କେଉଁଠି ଲୋକ ମାନେ ଆମ୍ବୁଲାନ୍ସ ସେବା ନପାଇ ଖଟିଆରେ ପ୍ରସୂତୀଙ୍କୁ ନେଇ ମେଡିକାଲ ଯାଉଥିବାର ଦେଖିବାକୁ ମିଳୁଛି ତ ଆଉ କୋଉଁଠି ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ହଇରାଣ ହେଉଛନ୍ତି ପ୍ରସୂତୀ। ପୁଣିଥରେ ଚିକିତ୍ସା ନପାଇ ହଟହଟା ହୋଇଛନ୍ତି ଜଣେ ପ୍ରସୂତୀ। ଏଭଳି ଏକ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ମାଣତ୍ରି ଡାକ୍ତରଖାନାରୁ।
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ମାଣତ୍ରି ଡାକ୍ତରଖାନା ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବାବେଳେ ଏଠାରେ ଜଣେ ବି ଡାକ୍ତର ନାହାନ୍ତି। ଯାହାଫଳରେ ଲୋକମାନେ ସ୍ବାସ୍ଥ୍ୟସେବା ନପାଇ ହଇରାଣ ହରକତ ହେଉଛନ୍ତି। ଶନିବାର ଜଣେ ପ୍ରସୂତି ଡାକ୍ତରଖାନାକୁ ଆସି ହଟହଟା ହେବା ସହିତ ଅଟୋରେ ସନ୍ତାନ ପ୍ରସବ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।
ମିଳିଥିବା ସୂଚନା ମୁତାବିକ, ଶନିବାର ରାତିରେ ଭିମିଦା ପଞ୍ଚାୟତ ଅର୍ଜୁନବାରିଆ ଗ୍ରାମର ହରିଶଙ୍କର ମହାଳିକଙ୍କ ସ୍ତ୍ରୀ ଦେବକୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେ ଆଶାକର୍ମୀ ସହିତ ଏକ ଅଟୋରେ ମାଣତ୍ରି ଡାକ୍ତରଖାନାକୁ ଯାଇଥିଲେ। ମାତ୍ର ଡାକ୍ତର ନଥିବାରୁ ରାତ୍ରି ଡ୍ୟୁଟିରେ ଥିବା ନର୍ସଜଣକ ତାଙ୍କୁ ବଡ଼ସାହି ଡାକ୍ତରଖାନାକୁ ନେଇଯିବା ପାଇଁ କହିଥିଲେ। ମାତ୍ର ଗର୍ଭ ଯନ୍ତ୍ରଣାରେ ଦେବକୀ ଛଟପଟ ହେଉଥିବାରୁ ପରିବାର ଲୋକେ ସେଠାରେ ପ୍ରସବ କରାଇବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ନର୍ସ ଶୁଣି ନ ଥିଲେ।
ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ପ୍ରସୂତିଙ୍କୁ ଧରି ଅଟୋରେ ବଡ଼ସାହିକୁ ଯିବା ସମୟରେ ମାଣତ୍ରି ଡାକ୍ତରଖାନାଠାରୁ ମାତ୍ର ପଚାଶ ମିଟର ଦୂରରେ ଅଟୋ ଭିତରେ ଦେବକୀ ସନ୍ତାନ ପ୍ରସବ କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟସେବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୂଚନାଥାଉକି, , ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ଡାକ୍ତର କାମଚଳା ଭାବେ ସୋମବାର ଓ ବୁଧବାର ଏଠାକୁ ଆସୁଥିବା ବେଳେ ସ୍ୱାସ୍ଥ୍ୟଗତ କାରଣ ପାଇଁ ସେ ଦୁଇ ମାସ ଛୁଟିରେ ରହିଥିଲେ। ତେବେ କାମଚଳା ଭିତ୍ତିରେ ନୁହେଁ, ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଗୁରୁତ୍ବାରୋପ କରିଛନ୍ତି।