ଟିକାକରଣ କେନ୍ଦ୍ର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : କୋଭିଡ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ କହିଛନ୍ତି ଯେ ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ୟ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ। ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଚିହ୍ନଟ ହେବ। ବ୍ଲକରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ।
ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ,ଘରୋଇ ହସପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ। ବ୍ଲକ ସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ରଗୁଡ଼ିକର ପର୍ୟ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ। ଅନ୍ୟପକ୍ଷରେ ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ।
ଟିକାଦାନ ପରେ କୌଣସି ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ, ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତ ରହିବେ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ।
Comments are closed.