ବଢ଼ିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି

କଟକ: ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି। ୧୨ ତାରିଖ ମଧ୍ୟ ରାତ୍ର ସୁଦ୍ଧା କରି ପାରିବେ ଫର୍ମ ପୂରଣ। ୨୦୧୯-୨୦ ଶିକ୍ଷା ବର୍ଷରେ ନବମରେ ପଢ଼ୁଥିବା ସମସ୍ତ ପିଲା କରି ପାରିବେ ଫର୍ମ ପୂରଣ। ଚଳିତ ବର୍ଷ କୌଣସି ଫିସ୍ ଦେବାକୁ ପଡୁନାହିଁ।
ପୂର୍ବରୁ ଫେବୃଆରୀ ୨ ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ୧୦ ତାରିଖ ଯାଏଁ ବର୍ଦ୍ଧିତ କରାଯାଇଥିଲା। ଏବେ ପୁଣି ଦୁଇଦିନ ବଢ଼ିଲା। ଏହା ପରେ ଆଉ ଫର୍ମ ପୀରଣର ଅବଧି ବୃଦ୍ଧି ହେବ ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।
ପ୍ରକାଶ ଯେ, ମେ ୩ ରୁ ଆରମ୍ଭ ହେବ ଚଳିତବର୍ଷ ମାଟ୍ରିକ ପରୀକ୍ଷା। ତେବେ କରୋନା ପାଇଁ ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ପ୍ରତ୍ୟେକ ବର୍ଷ ପ୍ରତି ବିଷୟରେ ୧୦୦ ମାର୍କର ପରୀକ୍ଷା କରାଯାଉଥିବା ବେଳେ ଚଳିତ ବର୍ଷ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।
୫୦ ମାର୍କ ସଂକ୍ଷିପ୍ତ ପ୍ରଶ୍ନ ଓ ୩୦ ମାର୍କ ଦୀର୍ଘ ପ୍ରଶ୍ନର ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ସେହିପରି ନିଜ ସ୍କୁଲରେ ନିଜେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। କେବଳ ସ୍କୁଲର ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ପଠାଯିବ। ସେହିପରି ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟାରେ ପରୀକ୍ଷା ଦେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷାର୍ଥୀ।
କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ଏହି ୮୦ ମାର୍କର ପରୀକ୍ଷାକୁ ୧୦୦ ମାର୍କରେ କନଭର୍ଟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।