Odisha Link
Bridging the Missing Links in Odisha

କାହାଣୀ ନକଲ, ପୋଷ୍ଟର ବି ନକଲ!

'ହେଲେନ୍'‌‌ର କାହାଣୀ ଓ ଓଡ଼ିଆ ସିନେମା 'ମୋନାଲିସା'ର କାହାଣୀରେ ସାମଞ୍ଜସ୍ୟ ଥିବାରୁ ଓଡ଼ିଆ ସିନେମାଟି ଏହାର ନକଲ ହୋଇଥିବା ଅନୁମାନ କରାଯାଉଛି।

ଭୁବନେଶ୍ବର: ଜି-ସାର୍ଥକ୍‌ ଫିଲ୍ମ ପକ୍ଷରୁ ‘ମୋନାଲିସା’ ନାମରେ ଏକ ଓଡ଼ିଆ ସିନେମା ପ୍ରସ୍ତୁତ ହୋଇଥିବା ବେଳେ ଏହା ଏକ ପ୍ରସିଦ୍ଧ ମଲାୟଲମ ସିନେମାର ନକଲ ବୋଲି ଚର୍ଚ୍ଚା ହେଉଛି। ଉଭୟ ଚଳଚ୍ଚିତ୍ରର ପୋଷ୍ଟରରେ ଯଥେଷ୍ଟ ସାମଞ୍ଜସ୍ୟ ଥିବା ବେଳେ କାହାଣୀ ମଧ୍ୟ ନକଲ।

ମାଥୁକୁଟ୍ଟି ଜାଭିୟରଙ୍କ ନିର୍ଦ୍ଦେଶିତ ପ୍ରଥମ ମଲାୟଲମ୍‌ ଚଳଚ୍ଚିତ୍ର ହେଲେନ୍ ଏ ବର୍ଷ ୨ଟି ଜାତୀୟ ପୁରସ୍କାର ପାଇଛି। ବେଷ୍ଟ୍‌ ଡେବ୍ୟୁ (ପ୍ରଥମ କାମ) ନିର୍ଦ୍ଦେଶକ ସମେତ ବେଷ୍ଟ୍‌ ମେକଅପ୍‌ ଆର୍ଟିଷ୍ଟ୍‌ ପୁରସ୍କାର ଏହି ସିନେମାକୁ ମିଳିଛି। ୨୦୧୯ରେ ପ୍ରସ୍ତୁତ ଏ ସିନେମା କେରଳରେ ଦୁଇଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛି। ଜାତୀୟ ପୁରସ୍କାର ପାଇବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। ପ୍ରଥମ ସିନେମାରୁ ହିଁ ପ୍ରସିଦ୍ଧି ପାଇ ଯାଇଥିଲା ଯୁବ ନିର୍ଦ୍ଦେଶକ ମାଥୁକୁଟ୍ଟି।

‘ହେଲେନ୍’‌‌ର କାହାଣୀ ଓ ଓଡ଼ିଆ ସିନେମା ‘ମୋନାଲିସା’ର କାହାଣୀରେ ସାମଞ୍ଜସ୍ୟ ଥିବାରୁ ଓଡ଼ିଆ ସିନେମାଟି ଏହାର ନକଲ ହୋଇଥିବା ଅନୁମାନ କରାଯାଉଛି। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ମୋନାଲିସା ଜଣେ ଝିଅର ହୃଦୟଥରା ମୁକୁଳିବାର କାହାଣୀ (Survival story) ବୋଲି ଏହାର ମୁଖ୍ୟ ଅଭିନେତ୍ରୀ ଏଲିନା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ହେଲେନ୍‌ର କାହାଣୀ ମଧ୍ୟ ଏହିପରି। ଗୋଟିଏ ରେସ୍ତୋରାଁରେ ହେଲେନ୍‌ କାମ କରୁଥିବା ବେଳେ ଡିପ୍‌ ଫ୍ରିଜର୍‌ରେ ଫସିଯାଏ। ହେଲେନ୍‌ କିଭଳି ସେଠାରୁ ମୁକୁଳେ ତାହା ହିଁ ସିନେମାର କାହାଣୀ।

ମୋନାଲିସା ଆସନ୍ତା ରବିବାର ମୁକ୍ତିଲାଭ କରିବାକୁ ଥିବା ବେଳେ ଏହାର ଯେଉଁ ସବୁ ଟ୍ରେଲର୍‌ ଛଡ଼ାଯାଉଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସିନେମାଟି ହେଲେନ୍‌ର ନକଲ। ହେଲେନ୍‌ ସିନେମାକୁ ହିନ୍ଦୀ, କନ୍ନଡ଼, ତେଲୁଗୁ ଓ ତାମିଲରେ ନିର୍ମାଣ ପାଇଁ ଏହାର ନିର୍ମାତା ଅନୁମତି ଦେଇଛନ୍ତି। ଓଡ଼ିଆ ପୁନଃନିର୍ମାଣ ପାଇଁ ଅନୁମତି ମିଳିନଥିବା ଜଣାପଡ଼ିଛି।

ତେବେ ଏ ନେଇ ଆମେ ସିନେମାର ନିର୍ଦ୍ଦେଶକ ଅଶୋକ ପତିଙ୍କ ସହ କଥା ହୋଇଥିଲୁ। ‘ମୋନାଲିସା’ ହେଲେନ୍‌ର ନକଲ ବୋଲି ସେ ସ୍ବୀକାର କରିଛନ୍ତି। ତେବେ ସେ ଓଡ଼ିଆ ସିନେମା କରିବା ବେଳେ କିଛି ବଦଳାିବାକୁ ଚେଷ୍ଟା କରିଥିବା କହିଛନ୍ତି। ସିନେମା ନକଲ ପାଇଁ ମୂଳ ନିର୍ମାତାଙ୍କ ଠାରୁ ଅନୁମତି ଆଣିଛନ୍ତି କି ନା ସେ ନେଇ ସେ କିଛି ଜାଣି ନଥିବା କହିଛନ୍ତି ଶ୍ରୀ ପତି। ସିନେମାଟି ଜି-ସାର୍ଥକ୍‌ ଫିଲ୍ମସ୍‌ ଦ୍ବାରା ପ୍ରସ୍ତୁତ ହୋଇଛି। ଜି-ସାର୍ଥକ୍‌ ଫିଲ୍ମସ୍‌‌ର ପରାମର୍ଶରେ ସେ ସିନେମା ପ୍ରସ୍ତୁତ କରିଛନ୍ତି। ଅନୁମତି ମିଳିଛି କି ନା ତାହା ସଂସ୍ଥାର ଅଧିକାରୀମାନେ କହିପାରିବେ ବୋଲି ଶ୍ରୀ ପତି ଜଣାଇଛନ୍ତି।

ଏ ନେଇ ଆମେ ମୂଳ ନିର୍ଦ୍ଦେଶକ ମାଥୁକୁଟ୍ଟି ଜାଭିୟରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଏଯାଏଁ ତାଙ୍କର ଅଭିମତ ମିଳିପାରିନାହିଁ।