ଧର୍ମେନ୍ଦ୍ରଙ୍କୁ ମିଳିବକି ଆଉ ଏକ ଗୁରୁ ଦାୟିତ୍ବ ? ପାଓ୍ବାର କରିଡରରେ ଚର୍ଚ୍ଚା

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କୁ ଆଉ ଏକ ଗୁରୁ ଦାୟିତ୍ବ ମିଳିପାରେ ବୋଲି ପାଓ୍ବାର କରିଡରେ ଜୋରଦାର ଚର୍ଚ୍ଚା ହେଉଛି।
ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ନେତା ଥିବା ଥାବରଚନ୍ଦ୍ର ଗେହଲଟଙ୍କୁ ନିକଟରେ ରାଜ୍ୟପାଳ ଭାବେ ନିଯୁକ୍ତି କରାଯିବା ପରେ ବର୍ତ୍ତମାନ ରାଜ୍ୟସଭାରେ ବିଜେପି ନେତା ପଦ ଖାଲି ରହିଛି। ଯାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟସଭାର ପରବର୍ତ୍ତୀ ବିଜେପି ସଂସଦୀୟ ଦଳର ନେତା ଧର୍ମେନ୍ଦ୍ର ହୋଇପାରନ୍ତି ଚର୍ଚ୍ଚା ଜୋର ଧରିଛି।
କେବଳ ଧର୍ମେନ୍ଦ୍ର ନୁହନ୍ତି ଗୃହର ନେତା ଦୌଡ଼ରେ ବିଜେପି ସଭାପତି ଜେ.ପି.ନଡ୍ଡା, ପୀୟୂଷ ଗୋୟଲ, ନିର୍ମଳା ସୀତାରମଣ ଏବଂ ମୁକତାର ଅବାସ ନକୱୀ ଥିବା ନେଇ ମଧ୍ୟ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜ୍ୟସଭାର ନେତା ରୂପେ ମନୋନୀତ କରାଯିବାର ଦୃଷ୍ଟାନ୍ତ ରହିଛି । ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୯ରୁ ଆରମ୍ଭ ହେଉଥିବାରୁ ଅଧିବେଶନ ପୂର୍ବରୁ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ନେତାଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି ।