ପୁଣି ଅଡ଼ୁଆରେ ସିସୋଦିଆ, ବୃଦ୍ଧି ହେଲା ହେପାଜତ ଅବଧି
ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଓଏଲ୍ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ। ସୋମବାର ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ଆଜି ନ୍ୟାୟିକ ହେପାଜତ ଶେଷ ହେଉଥିଲା।
ଏହାପରେ ତାଙ୍କୁ ଆଜି ପୁଣିଥରେ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠି କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଆଉ ୨ ସପ୍ତାହ ବଢ଼ାଇଥିବାବେଳେ ଆଜି ତାଙ୍କର ହେପାଜତ ଅବଧି ଶେଷ ହେଉଥିଲା। ହେଲେ ଆଜି ପୁଣି ତାଙ୍କ ହେପାଜତ ଅବଧି ବୃଦ୍ଧି କରାଯାଇଛି। ଅନ୍ୟପଟେ ଇଡିର ସୂଚନା ମୁତାବକ, ଚଳିତ ମାସ ଶେଷ ସୁଦ୍ଧା ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହେବ।
ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ବଢାଇବା ଲାଗି ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା। ଦିଲ୍ଲୀ ମଦ ନୀତି ମାମଲାରେ ଅଧିକ ଜେରାର ଆବଶ୍ୟକ ଥିବାରୁ ତାଙ୍କୁ ଆଉ ୨ ସପ୍ତାହ ଲାଗି ରିମାଣ୍ଡ ଅବଧି ବଢ଼ାଇବା ଲାଗି କୋର୍ଟ ନିକଟରେ ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା। ଆବେଦନର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଅବଧିକୁ ଏପ୍ରିଲ ୧୭ ଯାଏ ବଢ଼ାଇଥିଲେ। ପୂର୍ବରୁ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ବର୍ତ୍ତମାନ ତାଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି।