ବଦଳୁଛି ଚିଲିକାର ଚିତ୍ର, ମାନସଙ୍କୁ ଲୋଡ଼ୁଛି ମାଟି

ଭୁବନେଶ୍ବର: ଚିଲିକାରେ ଏହା ଏକ ଜଣାଶୁଣା ପ୍ରବାଦ- ଯଦି ମାନସ ମଙ୍ଗରାଜ କୌଣସି ବି ଦଳରୁ ନିର୍ବାଚନ ଲଢ଼ିଥାଆନ୍ତେ, ତେବେ ୨୦୧୪ରେ ତାଙ୍କର ସୁନିଶ୍ଚିତ ବିଜୟ ହୋଇଥାଆନ୍ତା।
ପ୍ରଥମ ଥର ପାଇଁ ନିର୍ବାଚନୀ ରଣାଙ୍ଗନରେ ପାଦ ଦେଇ ୨୦୦୯ ବିଧାନସଭା ନିର୍ବାଚନରେ ମାନସ ଚିଲିକାରୁ କଂଗ୍ରେସ ପ୍ରାର୍ଥୀ ଭାବରେ ୧୧,୨୦୪ ଭୋଟ ପାଇଥିଲେ। ତାଙ୍କର ଭୋଟ ଭାଗ ପ୍ରାୟ ୧୦ ପ୍ରତିଶତ ଥିବା ବେଳେ ବିଜୟୀ ପ୍ରାର୍ଥୀ ବିଜେଡିର ରଘୁନାଥ ସାହୁ ୪୫% ଭୋଟ ପାଇଥିଲେ ଓ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ହରିଚନ୍ଦନଙ୍କୁ ମାତ୍ର ୭% ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
୨୦୧୪ ନିର୍ବାଚନରେ କଂଗ୍ରେସରୁ ମାନସୀ ପ୍ରଧାନ ଚିଲିକାରେ ପ୍ରାର୍ଥୀ ହେଲେ ଓ ଶୋଚନୀୟ ଭାବେ ପରାଜିତ ହେଲେ। ବିଜେଡିର ରଘୁନାଥ ସାହୁଙ୍କ ପ୍ରତି ନିର୍ବାଚନ ମଣ୍ଡଳୀରେ ଓ ଦଳୀୟ ସଙ୍ଗଠନ ଭିତରେ ପ୍ରବଳ ଜନ ଅସନ୍ତୋଷ ହେତୁ ସେ ବି ପରାଜିତ ହୋଇଥିଲେ। ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ହରିଚନ୍ଦନ।
ନିର୍ବାଚନ ପରେ ବହୁ ସଂଖ୍ୟକ ଅସନ୍ତୁଷ୍ଟ ବିଜେଡି ନେତରା ଓ କର୍ମୀ ରଘୁନାଥଙ୍କ ହାତ ଛାଡ଼ି ମାନସଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ। କଂଗ୍ରେସର ସଂଗଠନ ସେଠାରେ ମାନସଙ୍କ ନେତୃତ୍ବରେ ଦିନକୁ ଦିନ ସଶକ୍ତ ହେବାରେ ଲାଗିଥିଲା। ତେବେ କର୍ମୀଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନସ ଗତ ୨୦୧୮ ଏପ୍ରିଲରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କ ସହ ଚିଲିକାର ସମସ୍ତ କଂଗ୍ରେସ କର୍ମୀ ଓ ରଘୁନାଥଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଆସିଥିବା ନେତା ଓ କର୍ମୀ, ସମସ୍ତେ ବିଜେଡିରେ ମିଶିଥିଲେ।
ମାନସ ନିଜର ଅମାୟିକ ବ୍ୟକ୍ତିତ୍ବ ପାଇଁ ଓ କୌଣସି ସାମ୍ବିଧାନିକ ପଦରେ ନଥାଇ ମଧ୍ୟ ଦୀର୍ଘ ୧୦ ବର୍ଷ ଧରି ନିରନ୍ତର ଚିଲିକାବାସୀଙ୍କ ସୁଖଦୁଃଖରେ ସାମିଲ ହେଉଥିବାରୁ ନିର୍ବାଚନ ମଣ୍ଡଳୀରେ ଜଣେ ଅପ୍ରତିଦ୍ବନ୍ଦ୍ବୀ ଯୁବ ନେତା ଭାବେ ଉଭା ହୋଇଛନ୍ତି। ରଘୁନାଥଙ୍କ ପରାଜୟ ସତ୍ତ୍ବେ ତାଙ୍କୁ ଏଥର ପୁଣି ଟିକେଟ ଦେବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ମାନସଙ୍କ ପ୍ରତି ଜନ ସମର୍ଥନ ଓ ସାଂଗଠନିକ ଆନୁଗତ୍ୟ ଏକ ପରିବର୍ତ୍ତନର ଆଭାସ ଦେଉଛି। ମାଟିର ଭୋଟରମାନେ ମାନସଙ୍କୁ ହିଁ ଲୋଡ଼ୁଛନ୍ତି। ୩ ଥର କ୍ଷମତାକୁ ଆସିଥିବା ବିଜେପି ପ୍ରତି ଚିଲିକାବାସୀଙ୍କ ଅସନ୍ତୋଷ ବଢ଼ୁଥିବା ବେଳେ ରଘୁନାଥଙ୍କୁ ମଧ୍ୟ ପୁଣିଥରେ ସେମାନେ କ୍ଷମତାସୀନ ହେବା ଚାହୁନାହାନ୍ତି। ଏଭଳି ସମୟରେ ମାନସ ହିଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଇଛି।
ଚିଲିକାରେ ଯୁବପିଢ଼ିର ପ୍ରେରଣା ପାଲଟିଥିବା ମାନସଙ୍କୁ ବିଜେଡି ଟିକେଟ ମିଳୁ ବୋଲି ଅଡ଼ି ବସିଛନ୍ତି ନେତା ଓ କର୍ମୀ। ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ମାନସ ଚିଲିକାର କଂଗ୍ରେସ ଓ ବିଜେଡି କର୍ମୀଙ୍କୁ ବିଜେଡି ଛାତ ତଳକୁ ଆଣିବାରେ ଯେଭଳି ସମର୍ଥ ହୋଇଛନ୍ତି, ଦଳ ତାଙ୍କୁ ଉଚିତ ନ୍ୟାୟ ଦେବ ବୋଲି ଜନସାଧାରଣ ଆଶା ରଖିଛନ୍ତି।