Odisha Link
Bridging the Missing Links in Odisha

ଅରୁଣଙ୍କୁ ଘାରିଲା ପରାଜୟ ଭୟ, ପ୍ରାର୍ଥୀ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ନୟାଗଡ଼: ବ୍ରହ୍ମ ବିଭ୍ରାଟ ଠାରୁ ଚିଟ୍‌ ଫଣ୍ଡ୍‌ ଯାଏଁ, ଛବି ବର୍ଦ୍ଧନ ହତ୍ୟାକାଣ୍ଡ ଠାରୁ ପ୍ରଫୁଲ୍ଲ ମହାନ୍ତି ହତ୍ୟା ଯାଏଁ, ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତି ହଟାଇବା ଠାରୁ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ବସାଇ ନ ଦେବା ଯାଏଁ; ସବୁ ଘଟଣାରେ ବିବାଦୀୟ ହୋଇଥିବା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ଏବେ ଘାରିଛି ପରାଜୟର ଭୟ। କନ୍ଧମାଳ ସାଂସଦ ତଥା ନୟାଗଡ଼ର ଅନ୍ୟତମ ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବିଜୁ ଜନତା ଦଳ (ବିଜେଡି) ଛାଡ଼ିବା ପରଠାରୁ ଅରୁଣ ଭୟଭୀତ।

ପରାଜୟ ଏଡ଼ାିବା ପାଇଁ ଆରମ୍ଭ ହୋଇଯାଇଛି ଅରୁଣଙ୍କ ଗୋଟିଚାଳନା। ଜିଲ୍ଲାରେ ବିଜେଡି ଏଯାଏଁ ବିଧାୟକ ପ୍ରାର୍ଥୀ ଘୋଷଣା କରିନି, ଅଥଚ ଆରମ୍ଭ ହୋଇଗଲାଣି ପ୍ରଚାର କାର୍ଯ୍ୟକ୍ରମ। ପଅରଦିନ ଖୋଦ୍‌ ମୁଖ୍ୟମନ୍ତ୍ରୀ ନୟାଗଡ଼ ଆସୁଛନ୍ତି ନିର୍ବାଚନ ପ୍ରଚାରରେ।

ଆସନ୍ତାକାଲି କିମ୍ବା ପଅରଦିନ ପ୍ରତ୍ୟୁଷା କଂଗ୍ରେସରେ ଯୋଗ ଦେଉଥିବା ବେଳେ ଲୋକଙ୍କୁ ନିଜ ଆଡ଼କୁ ଟାଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନୟାଗଡ଼ ଆଣୁଛନ୍ତି ଅରୁଣ। ୨୪ ମାର୍ଚ୍ଚ ରବିବାର ସକାଳ ୧୦ଟାରେ ନୟାଗଡ଼ ଖେଳପଡ଼ିଆରେ ଏକ ପ୍ରଚାର ସଭାରେ ଯୋଗଦେବେ ଅରୁଣ। ତେବେ ରୋଚକ କଥା ହେଉଛି, ନିଜ ଟିକେଟ୍‌ ସ୍ଥିର ବୋଲି ଜାଣିଥିବା ଅରୁଣ ଏଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରି ଏବେ ଜିଲ୍ଲା ବିଜେଡିରେ ବିଭେଦକୁ ପ୍ରଶ୍ରୟ ଦେଉଛନ୍ତି। ଦଶପଲ୍ଲାକୁ ଛାଡ଼ି ବାକି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନ କରିନାହିଁ ବିଜେଡି। ନୟାଗଡ଼ରେ ଅରୁଣଙ୍କୁ ଟିକେଟ ମିଳିବା ଏକପ୍ରକାର ନିଶ୍ଚିତ ଥିବା ବେଳେ ରଣପୁର ଓ ଖଣ୍ଡପଡ଼ାରେ କିଏ ଟିକେଟ ପାଇବ ଏଯାଏଁ ସ୍ଥିର ହୋଇନାହିଁ।

ରଣପୁରରେ ବିଧାୟକ ରବି ନାରାୟଣ ମହାପାତ୍ରଙ୍କର ସ୍ଥିତି ଭଲ ନଥିବା ବେଳେ ତାଙ୍କ ବଦଳରେ ଏକାଧିକ ଦାବିଦାର ଟିକେଟକୁ ଚାହିଁ ବସିଛନ୍ତି। ଅରୁଣଙ୍କ ପ୍ରଯୋଜିତ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ସବୁ ଆଶାୟୀ ନିଜ ନିଜ ସମର୍ଥକଙ୍କୁ ଆଣି ପହଞ୍ଚିବା ଲାଗି ଉଦ୍ୟମ ଚଳାଇଛନ୍ତି।

ଖଣ୍ଡପଡ଼ାରେ ବିଧାୟକ ଅନୁଭବଙ୍କ ପ୍ରତି ଜନତାଙ୍କର ଆସ୍ଥା ଓ ସମର୍ଥନ ଥିଲେ ବି ତାଙ୍କୁ ଟିକେଟ ନ ଦେବା ଲାଗି ଫନ୍ଦିଫିକରରେ ଲାଗି ପଡ଼ିଛନ୍ତିି ସ୍ବୟଂ ଅରୁଣ କୁମାର ସାହୁ। ଏକାଧିକ ମାମଲାରେ ଜଡ଼ିତ ଭାପୁର ବ୍ଲକ୍‌ ବିଜେଡି ସଭାପତି ଗୟାଧର ପରିଡ଼ାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଛନ୍ତି ଅରୁଣ। ଅନ୍ୟପଟେ ନିକଟରେ ବିଜେଡିରେ ସାମିଲ ହୋଇଥିବା ଗତଥରର ପରାଜିତ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ନିଜେ ବା ନିଜର କେହି ସମ୍ପର୍କୀୟ ଅଥବା ଅନୁଗତଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଛନ୍ତି। ଫଳସ୍ବରୂପ ଖଣ୍ଡପଡ଼ାରେ ବିଜେଡି ଏବେ ତିନିଫାଳ ଓ ଏ ତିନିଫାଳ ନିଜ ନିଜ ସମର୍ଥକଙ୍କୁ ନେଇ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଶକ୍ତି ପ୍ରଦର୍ଶନ ପାଇଁ ଲାଗି ପଡ଼ିଛନ୍ତି। ଦୁଷ୍ମନ୍ତ ସ୍ବାଇଁ ଓ ବିପିନ ଷଡ଼ଙ୍ଗୀଙ୍କ ଭଳି ଅନ୍ୟ କେତେ ଜଣ ବିଜେଡି ଟିକେଟ ଆଶାୟୀ ମଧ୍ୟ ଖଣ୍ଡପଡ଼ାରେ ଅଛନ୍ତି।

ଏଭଳି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଭା ବିଜେଡିର ଅନ୍ତଃକନ୍ଦଳକୁ ପଦାରେ ପକାଇବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯଦି ଆଜି ନୟାଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କରନ୍ତି, ତେବେ ବି ସମସ୍ୟା ବହୁଗୁଣିତ ହେବ। ନିଜ ସମର୍ଥକଙ୍କୁ ଆଣିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ଆାାୟୀମାନେ ଟିକେଟ୍‌ ନପାଇଲେ, ସମର୍ଥକଙ୍କୁ ଧରି ଅନ୍ୟ କ୍ୟାମ୍ପକୁ ଡେଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ବସନୀୟ ସୂତ୍ରରୁ ମିଳିଥିବା ଖବର ମୁତାବକ, ରଣପୁର ଓ ଖଣ୍ଡପଡ଼ାରୁ କେଉଁମାନେ ଟିକେଟ ପାଇବେ ତାହା ଅରୁଣ ଜାଣିଛନ୍ତି (ନିଜେ ସ୍ଥିର କରିଛନ୍ତି କହିବା ଠିକ ହେବ)। ସେମାନଙ୍କୁ ସମର୍ଥକ ରୁଣ୍ଡେଇବା ପାଇଁ ସୂଚନା ଦେଇଛନ୍ତି ଅରୁଣ।

Comments are closed.