୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ, ଜଳୁଛି ଜୟପୁର

ଜୟପୁର: ଜଣେ ୭ ବର୍ଷୀୟ ଶିଶୁକୁ ଅପରହଣ କରି ଦୁଷ୍କର୍ମ କରାଯାଇଛି । ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ଜୟପୁର ସହରରେ ହୋଇଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ନ୍ୟାୟ ଦାବିରେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ଓ ବିକ୍ଷୋଭ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ଶିଶୁଟି ସୋମବାର ସନ୍ଧ୍ୟାରେ ଶାସ୍ତ୍ରୀ ନଗର ସ୍ଥିତ ତାଙ୍କ ଘର ବାହାରେ ଖେଳୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସେଠାରେ ବାଇକ୍ ଯୋଗେ ପହଞ୍ଚି ଝିଅଟିକୁ ତାଙ୍କ ବାପାଙ୍କ ସାଙ୍ଗ ପରିଚୟ ହେଇ ନିଜ ସହ ନେଇ ଯାଇଥିଲେ ବୋଲି ସୂଚନା ରହିଛି।। ଏହାର ଦୁଇ ଘଣ୍ଟା ପରେ ଶିଶୁଟି ନିକଟସ୍ଥ ଏକ କେନାଲ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକ ତୁରନ୍ତ ଝିଅଟିକୁ ଜୟପୁରର ଏକ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଏବେ ବି ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ପୁଲିସ୍ କମିଶନର ଆନନ୍ଦ ଶ୍ରୀବାସ୍ତବ ଗଣମାଧ୍ୟମକୁ କହିଛନ୍ତି ଯେ, ସଂନ୍ଧ୍ୟା ୮ଟା ପାଖାପାଖି ଅଭିଯୁକ୍ତ ଝିଅଟିକୁ ଫୁସଲେଇକି ନେଇଯିବା ସହ ଝିଅଟିକୁ ରେଫ୍ କରିଥିଲେ। ଏହାପରେ ୨ଘଣ୍ଟା ପରେ ପୁଣି ସେହି ସ୍ଥାନରେ ଆଣି ଝିଅଟିକୁ ଅଭିଯୁକ୍ତ ଛାଡ଼ି ଦେଇ ଯାଇଥିବା କଥା କହିଛନ୍ତି ଶ୍ରୀବାସ୍ତବ।
ଏହି ଘଟଣା ପରେ ଲୋକମାନେ ସ୍ଥାନୀୟ ପୁଲିସ୍ ଷ୍ଟେସନ ଆଗରେ ନ୍ୟାୟ ପାଇଁ ବିକ୍ଷୋଭ କରିଛନ୍ତି। କିଛି ଲୋକ ଥାନା ପାଖରେ ଥିବା ଗାଡ଼ି ଭାଙ୍ଗି ଦେଇଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଥିବା ଖବର ମିଳିଛି। ଏହି ଘଟଣା ପରେ ପୁଲିସ୍ ଅତିରିକ୍ତ ଫୋର୍ସ ମୁତୟନ କରିବା ସହ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି। ସୋଶିଆଲ ମିଡିଆରେ ଘଟଣାକୁ ନେଇ ଗୁଜବ ପ୍ରଚାର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୧୩ଟି ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ପୁଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ୧୪ ଜଣିଆ ଟିମ୍ ମଧ୍ୟ ଗଠନ କରିଛି। କିଛି ଦିନ ତଳେ ଜଣେ ୪ ବର୍ଷୀୟ ଶିଶୁକୁ ଅନୁରୂପ ଢଙ୍ଗରେ ଘର ପାଖରୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିଲା। ସମାନ ବ୍ୟକ୍ତି ଏହି ଘଟଣା ପଛରେ ରହିଥିବା ଲୋକେ ଅଭିଯୋଗ କରିଛନ୍ତି।