ପୁଣି ନିରାଶ ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ ପୁଣିଥରେ ହେଲେ ନିରାଶ। ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପି ଚିଦାମ୍ବରମଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦିକୁ ନଭେମ୍ବର ୧୩ ଯାଏ ବୃଦ୍ଧି କରିଛନ୍ତି। ଅର୍ଥାତ ସେ ଏବେ ୧୪ ଦିନ କାଳ ପୁଣି ତିହାର ଜେଲରେ ରହିବେ।
ଆଜି ତାଙ୍କ ହାଜତ ମିଆଦି ଅବଧି ଶେଷ ହୋଇଥିଲା। ଏଥିପାଇଁ ଆଜି ତାଙ୍କୁ ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାରଙ୍କ ଆଗରେ ହାଜର କରାଯାଇଥିଲା। ଏହି ସମୟରେ ଇଡି ତାଙ୍କୁ ଆଉ ଗୋଟିଏ ଦିନ ଜେରା କରିବାକୁ ଚାହିଁ ରିମାଣ୍ତରେ ନେବା ପାଇଁ ଆବେଦନ କରିଥିଲା। ହେଲେ ବିଚାରପତି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।
ଏହାପରେ କୋର୍ଟ ତାଙ୍କୁ ୧୩ ତାରିଖ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ସେଠାରେ ତାଙ୍କୁ ଘରର ରନ୍ଧା ଖାଦ୍ୟ, ୱେଷ୍ଟର୍ଣ୍ଣ ଟଏଲେଟ ଏବଂ ଅନ୍ୟାନ୍ୟ ସୁବିଧା ମିଳିବ।