Odisha Link
Bridging the Missing Links in Odisha

ଦିଲ୍ଲୀ: ଡିସେମ୍ବରରେ ପ୍ରଥମ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଏଠାରେ ଆୟୋଜନ କରାଯାଉଥିବା ଅନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ମହୋତ୍ସବ ର ସଫଳତା ପାଇଁ ଏବେ ବ୍ୟପାକ ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ପାଇଁ ଜଗନ୍ନାଥଙ୍କର ଧର୍ମ , ଦର୍ଶନ, ଚେତନା ଓ ସଂସ୍କୃତି କୁ ଆଧାରକରି ଦେଶର ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ପଚାଶ ହଜାର ଜଗନ୍ନାଥ ଭକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ଆଠ ତାରିଖରୁ ତେର ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ଦିନଧରି ଚାଲିବାକୁ ଥିବା ଏହି ମହାସମାରୋହ କୁ ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଉଦଘାଟନ କରିବେ। ଉଦଘାଟନୀ ଉତ୍ସଵ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଗଦେବାକୁ ଉଦ୍ୟୋକ୍ତ ମାନେ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ଏଠାକାର ପ୍ରେସ କ୍ଲବ ଅଫ ଇଣ୍ଡିଆ ଠାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ଏହି ବିବରଣୀ ପ୍ରଦାନ କରିଛନ୍ତି।

ଅନ୍ୟାନ୍ୟ ମାନ୍ୟଗଣ ଅତିଥି ତାଲିକା ମଧ୍ୟରେ ରାଷ୍ଟ୍ରପତି , ଉପରାଷ୍ଟ୍ରପତି ,ମୁଖ୍ୟମନ୍ତ୍ରୀ , ପୁରୀର ଶଙ୍କରାଚାର୍ଯ୍ୟ ଓ ଆମେରିକାର ମିନିଆ ପଲିସି ଠାରେ ସର୍ବବୃହତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଡ଼ ଶୀତିକଣ୍ଠ ଦାଶ, ବାବା ରାମଦେବ ଓ ଶ୍ରୀ ଶ୍ରୀ ରବିଶଙ୍କର ପ୍ରମୁଖଙ୍କ ନାମ ଅନ୍ତର୍ଭୁକ୍ତ ଥିବା ସେମାନେ ଜଣେଇଛନ୍ତି। ସମ୍ମିଳନୀ ଆୟୋଜନରେ ଦେଶ ବିଦେଶର ପଚାଶଟି ଜଗନ୍ନାଥ ମନ୍ଦିର ଓ ୨ଶହ ଟି ସାମାଜିକ ସଂସ୍ଥା ସାମିଲ ହୋଇଛନ୍ତି।

ଦିଲ୍ଲୀର ଛତରପୁର ଠାରେ ଥିବା ମାର୍କେଣ୍ଡେୟ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହୋତ୍ସବକୁ ଗୁରୁଗାଓଁ ସ୍ଥିତ କଳିଙ୍ଗ ଭାରତୀ ଫାଉଣ୍ଡେସନ ର ଶାଖା ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚେତନା ସମନ୍ୱୟ ସମିତି, ଓଡ଼ିଶାର ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଆମେରିକାର ଡ଼ ଦାଶ ଫାଉଣ୍ଡେସନ ମିଳିତ ଭାବେ ଆୟୋଜନ କରୁଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି, ସାରା ପୃଥିବୀରେ ଜଗନ୍ନାଥଙ୍କର ମହାନ ସଂସ୍କୃତିକୁ ପ୍ରଚାର ପ୍ରସାର କରାଯିବା ସାଙ୍ଗକୁ ବିଶ୍ୱରେ ଶାନ୍ତି, ସମନ୍ୱୟ, ଓ ସଦଭାବନା ପ୍ରତିଷ୍ଠା କରିବା, ଏହି ସମାବେଶର ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ। ସମାରୋହର ମୁଖ୍ୟ ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧକ୍ଷ ଅକ୍ଷୟ ସାମଲ, ଜାତି ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ନିର୍ବିଶେଷରେ ଏହି ସମାରୋହରେ ସମସ୍ତେ ସାମିଲ ହୋଇ ବିଶ୍ୱ ଭାତୃତ୍ଵ ଓ “ବସୁଦେବ କୁଟୁମ୍ବକମ ” ବାର୍ତାକୁ ସାକାର କରିବାକୁ ଆହ୍ୱାନ ଜଣାଇଥିଲେ। ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ସ୍ୱାଗତ ସମ୍ଭାଷଣ କରିଥିଲେ। ମହୋତ୍ସବର ଆନ୍ତର୍ଜାତିକ ସଂଯୋଜକ ସଞ୍ଜୟ ଦାସ କାର୍ଯକ୍ରମ ସଞ୍ଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଏନ .ଏନ .ମିଶ୍ର , ପି.କେ.ମିଶ୍ର ଓ ସଂଜୀବ ପାଟ୍ଟଯୋଶୀ ଉଦବୋଧନ ଦେଇଥିଲେ।

Comments are closed.