Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ରାଜ୍ୟପାଳଙ୍କୁ ଭେଟିଲେ ଶିବସେନା ନେତା, ସଞ୍ଜୟ କହିଲେ ଯାହା ପାଖରେ..

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତି ଏବେ ଭେଟାଭେଟି ରାଜନୀତିରେ ପରିଣତ ହେଲାଣି। କାରଣ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଅମିତ ଶାହଙ୍କୁ ସାକ୍ଷାତ କରିଥିବା ବେଳେ ଏନସିପି ନେତା ଶରଦ ପାଓ୍ବାର ସୋନିଆଙ୍କୁ ସାକ୍ଷାତ କରିବେ। ଅପରପକ୍ଷେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାମଦାସ କଦମ ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନାହିଁ।

ଆଜି ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାମଦାସ କଦମ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛନ୍ତି। ଭେଟଘାଟ ପରେ ସଞ୍ଜୟ ରାଉତ କହିଛନ୍ତି ଯେ, ଶିବସେନା ଚାହୁଁଛି ରାଜ୍ୟରେ ଯିଏ ହେଉ ସରକାର ଗଢ଼ୁ, ଆମେ କାହାର ଗତିରୋଧ କରିବାକୁ ଚାହୁଁନୁ। ଯାହା ପାଖରେ ବହୁମତ ରହିବ ସେ ହିଁ ସରକାର ଗଢ଼ିବ ବୋଲି କହିଛନ୍ତି ସଞ୍ଜୟ।

ଏହି ଅବସରରେ ନିର୍ବାଚନ ଫଳାଫଳ ପରେ ରାଜ୍ୟର ପରିବର୍ତ୍ତୀତ ରାଜନୀତିକ ସମୀକରଣ ବାବଦରେ ରାଜ୍ୟପାଳଙ୍କ ସହ ଆଲୋଚନା ହୋଇଥିବା ସଞ୍ଜୟ ରାଉତ କହିଛନ୍ତି। ରାଜ୍ୟପାଳଙ୍କୁ ମୁଁ ପରାମର୍ଶ ଦେଇପାରିବି ନାହିଁ। ସରକାର ଗଢ଼ିବା ପାଇଁ କାହାକୁ ଡ଼କାଯିବ ସେ ନିଷ୍ପତ୍ତି ରାଜ୍ୟପାଳଙ୍କର ବୋଲି ସଞ୍ଜୟ ରାଉତ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବିଧାନସଭାର କାର୍ଯ୍ୟକାଳ ୮ ତାରିଖରେ ଶେଷ ହେଉଛି। ଶିବସେନା ଅନ୍ୟ ଦଳ ଏନସିପି-କଂଗ୍ରେସ ମେଣ୍ଟ ସହ ମିଶି ସରକାର ଗଢ଼ିବା ପାଇଁ ଗତକାଲି ଇଙ୍ଗିତ କରିସାରିଥିବା ବେଳେ ବିଜେପି ଶିବିର ନିରବ ରହିଛି। ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି। ଯଦି ଶିବସେନାକୁ ଏହି ଏନସିପି-କଂଗ୍ରେସ ମେଣ୍ଟ ସମର୍ଥନ କରିବ ତାହାଲେ ଶିବସେନା ସରକାର ଗଢ଼ିପାରିବ। ଏଥିସହ ୨୯ ଅନ୍ୟାନ୍ୟ ବିଧାୟକରୁ କିଛି ଶିବସେନାକୁ ପୂର୍ବରୁ ସମର୍ଥନ ଦେଇସାରିଛନ୍ତି।

Comments are closed.