ନୂଆଦିଲ୍ଲୀ: ପୁଲିସ୍ ମୁଖ୍ୟାଳୟରେ ବିକ୍ଷୋଭ କଲେ ପୁଲିସ୍, କହିଲେ ଓ୍ବି ନିଡ୍..

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ଦିଲ୍ଲୀ ପୁଲିସ୍ଙ୍କ ବିକ୍ଷୋଭ। ଦିଲ୍ଲୀ ପୁଲିସ୍ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ଆଶ୍ୱାସନା ସତ୍ତ୍ୱେ ଥମିବାର ନାଁ ନେଉନି ବିକ୍ଷୋଭ। ଦିଲ୍ଲୀ ପୁଲିସ୍ ମୁଖ୍ୟାଳୟ ବାହାରେ ହଜାର ହଜାର ପୁଲିସ୍ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ସକାଳଠାରୁ ସେମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ନିଜ ଜିଦିରେ ଅଟଳ ରହିଛନ୍ତି।
ଏଥିସହିତ ବହୁ ଜନଗହଳି ପୂର୍ଣ୍ଣ ଏହି ରାସ୍ତାକୁ ୟୁନିଫର୍ମରେ ଏବଂ ସାଦା ପୋଷାକରେ ଥିବା ପୁଲିସ୍ ବନ୍ଦ ରଖିଛନ୍ତି। ସେମାନେ ଦାବି କରିଛନ୍ତି, ଗତ କିଛି ଦିନରେ ଯେଉଁ ଓକିଲମାନେ ହିଂସାକାଣ୍ଡରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଏପରିକି ପୁଲିସ୍ କମିଶନର୍ ଏମାନଙ୍କୁ କାର୍ଯ୍ୟକୁ ଫେରିବାକୁ ଆହ୍ୱାନ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ପୁଲିସ୍ମାନେ ଆନ୍ଦୋଳନରୁ ଥମିବା ଭଳି ପ୍ରତୀୟମାନ ହେଉନି। ତେବେ ଏହି ସମୟରେ ପ୍ରସିଦ୍ଧ ଆଇପିଏସ୍ ଅଧିକାରୀ କିରଣ ବେଦୀଙ୍କୁ ଏହି ପୁଲିସ୍ମାନେ ମନେ ପକାଇଛନ୍ତି। ଏହି ପୁଲିସ୍ମାନେ ପ୍ଲାକାର୍ଡ ସବୁରେ କିରଣ ବେଦୀଙ୍କ ସମର୍ଥନରେ ଲେଖିଛନ୍ତି, ‘ୱି ନିଡ୍ ୟୁ’। ସେମାନେ ଏପରି କରି ପଟ୍ଟନାୟକଙ୍କଠାରୁ କିରଣ ବେଦୀଙ୍କ ପରି ସାହସ ଆଶା କରୁଛନ୍ତି। ସେମାନେ ସମ୍ଭବତଃ ଚାହୁଁଛନ୍ତି ଇନ୍ଦିରା ଗାନ୍ଧିଙ୍କ ସରକାରରେ କିରଣ ବେଦୀ ଯେଉଁଭଳି ସାହସିକତା ଦେଖାଇଥିଲେ, ବର୍ତ୍ତମାନର ପୁଲିସ୍ ମୁଖ୍ୟ ମଧ୍ୟ ସାହସ ଦେଖାନ୍ତୁ।
ପଟ୍ଟନାୟକ ପୁଲିସ୍ମାନଙ୍କୁ କହିଛନ୍ତି, “ଆମକୁ ଏକ ଶୃଙ୍ଖଳିତ ବାହିନୀ ପରି ବ୍ୟବହାର କରିବାକୁ ହେବ। ସରକାର ଏବଂ ଲୋକେ ଆମକୁ ଆଇନ ଶୃଙ୍ଖଳା କାଏମ ରଖିବା ନେଇ ଆଶା କରନ୍ତି। ଏହା ଆମର ସବୁଠାରୁ ବଡ଼ ଦାୟିତ୍ୱ। ମୁଁ ଆହ୍ୱାନ କରୁଛି ସମସ୍ତେ କାମକୁ ଫେରି ଆସନ୍ତୁ। ଗତ କିଛି ଦିନ ଆମ ପାଇଁ ପରୀକ୍ଷାର ସମୟ ହୋଇଛି। ଏକ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ମୁଁ ଅନୁରୋଧ କରୁଛି ପ୍ରକ୍ରିୟା ଉପରେ ବିଶ୍ୱାସ କରନ୍ତୁ।”