Odisha Link
Bridging the Missing Links in Odisha

କଟକ SCB ମେଡିକାଲ୍‌ ପାଇଁ ହଜାରେ କୋଟି, ନବୀନ କହିଲେ ଦେଶର ଶ୍ରେଷ୍ଠ..

ଭୁବନେଶ୍ୱର: ମୋ ବସ୍‌ରେ ଯାତ୍ରା କରି ଲୋକସେବା ଭବନରୁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର SCB ମେଡିକାଲ୍ କଲେଜ ଓ ହସ୍ପିଟାଲ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା କଲେ ରାଜ୍ୟ ସରକାର। ଏସସିବି ଭେଷଜ ମହାବିଦ୍ୟାଳୟକୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ି ତୋଳାଯିବାକୁ ଲକ୍ଷ୍ୟ ରଖାଯାଇଛି। ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହ ଏସସିବିକୁ ତୁଳନା କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ରାଜ୍ୟ ବାହାର ଡାକ୍ତରଙ୍କୁ ସେବା ପାଇଁ ଆକୃଷ୍ଟ କରିବା ପାଇଁ ହସ୍ପିଟାଲରେ ମନୋରଂଜନର ଉତ୍ତମ ପରିବେଶ ସୃଷ୍ଟି କରାଯିବ। ହଜାରେ କୋଟିର ନିବେଶ ଫଳରେ ହସ୍ପିଟାଲରେ ଏକ ବଡ଼ ପରିବର୍ତ୍ତନ ଆସିପାରିବ ଯେଉଁଥିପାଇଁ ରାଜ୍ୟ ବାହାରକୁ ରୋଗୀଙ୍କୁ ଆଉ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଏସସିବି ଦେଶର ୧୪ତମ ସ୍ଥାନରେ ରହିଛି। ଏହାକୁ ଶ୍ରେଷ୍ଠ ୩ ଚିକିତ୍ସାଳୟ ମଧ୍ୟରେ ସ୍ଥାନ ଦେବାକୁ ଆହ୍ନାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟକ୍ଷେତ୍ର ପରି ଓଡ଼ିଶାର ଚିକିତ୍ସାସେବାକୁ ମଧ୍ୟ ବିଶ୍ୱସ୍ତରୀୟ ମର୍ଯ୍ୟାଦା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ରଖିଛନ୍ତି।

ସୂଚନାଥାଉକି, ଆଜି ଭୋରୁ ଭୋରୁ ୫-ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ କଟକର ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀ ଓ ସଂପର୍କୀୟଙ୍କ ମତାମତ ନେଇଥିଲେ। ସେଠାରେ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ପାଣ୍ଡିଆନ୍। ଆଜି ଲୋକସେବା ଭବନରେ ସନ୍ଧ୍ୟାରେ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏଭଳି ବଡ଼ ଘୋଷଣା କରିଛନ୍ତି।

Comments are closed.