Odisha Link
Bridging the Missing Links in Odisha

ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀମାନଙ୍କ ସମ୍ମିଳନୀ

ଭୁବନେଶ୍ୱର : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟରେ ବିଭାଗୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ଅଧିକ ପ୍ରୋତ୍ସାହନ ଓ ପାଣ୍ଠିବରାଦ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ବିଶେଷ କରି ବିଜ୍ଞାନ କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ‘ଓରେଡା’ର କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଅଧିକ ଅର୍ଥବ୍ୟବସ୍ଥା ନିମନ୍ତେ ମନ୍ତ୍ରୀ ପଣ୍ଡା ଗୁରୁତ୍ୱ ଆରୋପ କରିଛନ୍ତି । ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ ଆୟୋଜନ ପରି ପ୍ରେକ୍ଷୀରେ କୋଲକାତାର ବିଶ୍ୱ ବାଂଲା କନ୍‌ଭେନ୍‌ସନ୍‌ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗର ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳି ଓ ମନ୍ଦିରଗୁଡ଼ିକ ପାଖରେ ଥିବା ଜଳଉତ୍ସଗୁଡ଼ିକର ପରିଷ୍କୃତି ନିମନ୍ତେ ଆଧୁନିକ କାରିଗର କୌଶଳ ଉପଯୋଗ ହେବା ଉଚିତ ବୋଲି କହିଥିଲେ । ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ପ୍ରାୟୋଜିତ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ସଫଳତା ନିମନ୍ତେ ଅଧିକ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ନିମନ୍ତେ ମନ୍ତ୍ରୀ ପଣ୍ଡା ଦାବି କରିଥିଲେ ।
ଓଡ଼ିଶା ସରକାର କ୍ରୀଡ଼ା, ପର୍ଯ୍ୟଟନ ଓ କାରିଗରୀ କୌଶଳ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ଦର୍ଶାଇ ମନ୍ତ୍ରୀ ପଣ୍ଡା କହିଥିଲେ ଯେ ସ୍ୱଗର୍ତ ବିଜୁ ପଟ୍ଟନାୟକଙ୍କ ପ୍ରବର୍ତ୍ତିତ ‘ୟୁନେସ୍କୋ କଳିଙ୍ଗ’ ପୁରସ୍କାର ଏବଂ ଟାଟା ଫାଉଣ୍ଡେସନ୍‌ ସହଯୋଗରେ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମର ସଫଳତା ସର୍ବତ୍ର ପ୍ରଶଂସିତ ହୋଇଛି । ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କ ସୃୁତିରେ ରାଜଧାନୀରେ ପ୍ରତିଷ୍ଠିତ ପ୍ଲାନେଟୋରିୟମ୍‌ ନାମିତ ହୋଇଛି ।
ଓଡ଼ିଶାରେ ବିଜ୍ଞାନ ଓ କାରିଗରୀ ବିଭାଗର କାର୍ଯ୍ୟାଳୟ ଉପରେ ମନ୍ତ୍ରୀ ପଣ୍ଡା ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ, ଓରେଡା, ଓର୍ସାକ୍‌, ଓଡ଼ିଶା ବିଜ୍ଞାନ ଏକାଡେମୀ, ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଇତ୍ୟାଦିର କାର୍ଯ୍ୟକ୍ରମଗୁଡ଼ିକ ଉପରେ ମନ୍ତ୍ରୀ ଉଲ୍ଲେଖ କରିଥିଲେ । ମୌଳିକ ଓ ପ୍ରାୟୋଗିକ ବିଜ୍ଞାନରେ ଉ ପାଧ୍ୟୁତ୍ତର ଓ ପିଏଚ୍‌ଡି ଅଧ୍ୟୟନ ତଥା ଗବେଷଣା ନିମନ୍ତେ ଛାତ୍ରବୃତ୍ତି ପ୍ରଦାନ, ଜାତୀୟ ଓ ଆନ୍ତର୍ଜାତିକ କର୍ମଶାଳା ଓ ସମ୍ମିଳନୀମାନଙ୍କରେ ଓଡ଼ିଶାର ପ୍ରତିନିଧିତ୍ୱକୁ ପ୍ରୋତ୍ସାହନ, କେନ୍ଦ୍ର ସରକାରଙ୍କ ବାୟୋଟେକ୍‌ନୋଲୋଜି ପିଜି-୨୦୧୮ ଅନୁସାରେ ରାଜ୍ୟରେ ଟେକ୍‌ନୋଲୋଜି ପାର୍କ, ଇନ୍‌କୁ୍ୟବେସନ୍‌ ସେଣ୍‌ଟର, ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ସାଙ୍ଗକୁ ଭିତ୍ତିଭୂମି ବିକାଶ, ଷ୍ଟାର୍ଟଅପ୍‌ ପ୍ରୋତ୍ସାହନ, ବିଭିନ୍ନ ବୃତ୍ତି ଓ ଫେଲୋସିପ୍‌ ପ୍ରଦାନ କାର୍ଯ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗ ସଂପୃକ୍ତ ରହିଛି ବୋଲି କହିବା ସହିତ ମନ୍ତ୍ରୀ ପଣ୍ଡା ରାଜ୍ୟରେ ଆଉ ୧୦ଟି ବିଜ୍ଞାନ କେନ୍ଦ୍ର ଏବଂ ୬ଟି ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି । ଓର୍‌ସାକ୍‌ ପକ୍ଷରୁ ହେଉଥିବା ଜିଓ ମ୍ୟାପିଂ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ପ୍ରାୟ ୮୦୦ ପ୍ରକାର କଳାକୃତିର ଡିଜିଟାଇଜେସନ୍‌ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।
ପ୍ରଳୟଙ୍କରୀ ଫନି ପ୍ରଭାବରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ସୁବିଧା ପାଇଁ ରୁଫ୍‌ଟପ୍‌ ସୋଲାର ପ୍ଲାଣ୍ଟ ସମେତ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଓ ବିଦୁ୍ୟତ ସେବା ଯୋଗାଇ ଦେବାକୁ ‘ଓରେଡା’ ଉଦ୍ୟମ ଅବ୍ୟାହତ ରହିଛି ଏବଂ ଏହାର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ଅଧିକ ଅର୍ଥ ଯୋଗାଇ ଦେବା ପାଇଁ ମନ୍ତ୍ରୀ ପଣ୍ଡା ଦାବି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ କାରିଗରୀ ଏବଂ ଭୂବିଜ୍ଞାନ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏହି ସମ୍ମିଳନୀ ରେ ଅଧ୍ୟକ୍ଷତା କରିଥିବାବେଳେ ଦେଶର ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀବୃନ୍ଦ ଯୋଗଦେଇଥିଲେ । ଏଠାରେ ଉଲ୍ଲେଖେଯୋଗ୍ୟ ଯେ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କୋଲକାତାରେ ପଞ୍ଚମ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ ଆରମ୍ଭ ହୋଇଛି ଓ ଏହା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ମନ୍ତ୍ରୀ ପଣ୍ଡା ଏହି ଉତ୍ସବରେେ ଯୋଗ ଦେଇଥିଲେ । ବିଜ୍ଞାନର ଲୋକ ପି୍ରୟତା ଓ କାରିଗରୀ କୌଶଳର ଉପଯୋଗ କ୍ରମେ ମାନବ ଜାତିର ହେଉଥିବା ପ୍ରଭୂତ ଉପକାର ସାଙ୍ଗକୁ ବିଜ୍ଞାନ ଶିକ୍ଷା ପ୍ରତି ଦେଶବାସୀଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ୨୦୧୫ରୁ ଆୟୋଜିତ ହୋଇଆସୁଛି ।

Comments are closed.