Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ପାଓ୍ବାର ପ୍ଲେରୁ ଓହରିଲେ ଶରଦ, କହିଲେ ଶିବସେନାର ଗଣିତରେ..

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିକଳ୍ପ ହେଉଛି ଭାରତୀୟ ଜନତା ପାର୍ଟି-ଶିବସେନା ମେଣ୍ଟ। ଆମ ଦଳକୁ ବିପକ୍ଷରେ ବସିବାକୁ ଜନମତ ମିଳିଛି। ବିଜେପି-ଶିବସେନା ମିଶି ସରକାର ଗଠନ କରନ୍ତୁ ଆଉ ସୃଷ୍ଟି ହୋଇଥିବା ସଙ୍କଟରୁ ରକ୍ଷା କରନ୍ତୁ। ଏପରି କହିଛନ୍ତି ଏନସିପି ମୁଖିଆ ଶରଦ ପାଓ୍ବାର। ଶରଦଙ୍କ ଏଭଳି ମନ୍ତବ୍ୟ ମହାରାଷ୍ଟ୍ର ପାଓ୍ବାର ପ୍ଲେରେ ପୂର୍ଣ୍ଣଛେଦ ପଡ଼ିଛି।

ଏଥିସହିତ ବିଜେପି-ଶିବସେନା ମେଣ୍ଟ ଦୀର୍ଘ ୨୫ ବର୍ଷ ହେଲା ରହିଆସିଛି। ସେମାନେ ତୁରନ୍ତ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପଦକ୍ଷେପ ନିଅନ୍ତୁ। ଶିବସେନା ନେତା ସଞ୍ଜୟ ରାୱତ ଭେଟିବା ପରେ ଶରଦ ପାୱାର ଏମିତି ମତ ରଖିଛନ୍ତି। ସରକାର ଗଠନ ନେଇ ଶିବସେନା ୧୭୦ ବିଧାୟକଙ୍କ ସମର୍ଥନ ଥିବା ଦାବି ଉପରେ ପାୱାର ପ୍ରଶ୍ନ ଉଠାଇଛନ୍ତି। ଶିବସେନାର ୧୭୦ ଗଣିତରେ ଏନସିପି ଓ କଂଗ୍ରେସ ନାହିଁ । ତେବେ, ଶିବସେନା କେମିତି ବହୁମତ ପାଇବ ବୋଲି ସଞ୍ଜୟ ରାୱତଙ୍କୁ ପାୱାର ପଚାରିଛନ୍ତି।

ଏନସିପି ଓ କଂଗ୍ରେସକୁ ବିରୋଧୀ ଆସନରେ ବସିବାକୁ ଜନମତ ମିଳିଛି। ଆମ ବିଧାୟକଙ୍କ ସଂଖ୍ୟା ୫୪, ଆମେ ସରକାର ଗଢ଼ି ପାରିବୁ ନାହିଁ। ଶିବସେନା ସହଯୋଗରେ ଏନସିପି-କଂଗ୍ରେସ ମେଣ୍ଟ ସରକାରକୁ ମଧ୍ୟ ପାୱାର ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନାଥାଉକି, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନାକୁ ୫୬ଟି ଆସନ ମିଳିଛି। ବିଜେପି-ଶିବସେନା ପାଖରେ ବହୁମତ ଥିବାବେଳେ ୫୦-୫୦ ଫର୍ମୁଲାରେ ସେନା ଅଡ଼ି ବସିଛି। ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ସହ ମନ୍ତ୍ରିମଣ୍ଡଳରେ ସମାନ ଭାଗ ପାଇଁ ଶିବସେନା ଦାବି କରୁଛି। ତେବେ, ବିଜେପି ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବା ମୁଡରେ ହିଁ ନାହିଁ।

Comments are closed.