Odisha Link
Bridging the Missing Links in Odisha

ଫୁଲବାଣି ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କଲେ ମନ୍ତ୍ରୀ ବିକ୍ରମ

ଭୁବନେଶ୍ୱର : ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ଯୋଜନା ବୋର୍ଡର ବୈଠକରେ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମନ୍ତ୍ରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଡ. ଅଚୁ୍ୟତ ସାମନ୍ତ, ଜିଲ୍ଲାର ବିଧାୟକମାନେ, ଜିଲ୍ଲା ପାଳ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପରେ ପରେ ମନ୍ତ୍ରୀ ଆରୁଖ ଫୁଲବାଣି ବସ୍‌ଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ । ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟର ମାନ ପରଖିବା ସହ ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ଉପଲକ୍ଷ ସେବା ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ସହିତ ବସି ଆହାର କେନ୍ଦ୍ରରେ ଭୋଜନ କରିଥିଲେ । ଆହାର କେନ୍ଦ୍ରର ସେବା ପ୍ରଦାନ ଏବଂ ପରିଚ୍ଛନ୍ନତାରେ ମନ୍ତ୍ରୀ ଆରୁଖ ସନ୍ତୋଷ ପ୍ରକଟ କରିଥିଲେ ।


ଅପରାହ୍ନରେ ମନ୍ତ୍ରୀ ଆରୁଖ ଫୁଲବାଣି ନିକଟସ୍ଥ ମୁଲାଗୁଡ଼ାରି ମେଗା ନର୍ସରୀ ପରିଦର୍ଶନ କରିବା ସହ ଇକୋ-ଟୁରିଜିମ୍‌ ପ୍ରକଳ୍ପ ବୁଲି ଦେଖିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରକୃତି ଶିବିରଗୁଡ଼ିକର ସୁଚାରୁ ପରିଚାଳନା ଅନୁଧ୍ୟାନ କରିବା ସହ ମନ୍ତ୍ରୀ ଆରୁଖ ଏହି ନେଚର କ୍ୟାମ୍ପ ପରିଚାଳନା ଦ୍ୱାରା ଏସ୍‌.ଏଚ୍‌.ଜି ମାନେ ବିକଳ୍ପ ଜୀବିକା ପାଉଥିବା ଦେଖି ଖୁସି ପ୍ରକଟ କରିଥିଲେ । ଆଗାମୀ ଦିନରେ ଜିଲ୍ଲାରେ ପରିବେଶ ପର୍ଯ୍ୟଟନକୁ ଆହୁରି ବ୍ୟାପକ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ପରିଦର୍ଶନ ସମୟରେ ଡି.ଏଫ୍‌.ଓ, ଫୁଲବାଣି ଉପସ୍ଥିତ ଥିଲେ ।

Comments are closed.