Odisha Link
Bridging the Missing Links in Odisha

ଦ୍ୱାଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍‌ ମେଳା ଉଦ୍‌ଯାପିତ

ଭୁବନେଶ୍ୱର :ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦ୍ୱାଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍‌ ମେଳା ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ, କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବାରୁ ଧୀରେ ଧୀରେ ପ୍ରାକୃତିକ ଚିକିତ୍ସା ପଦ୍ଧତି ଏବଂ ଔଷଧୀୟ ବୃକ୍ଷଲତା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି । ଆମ ଚାରି ପଟେ ଏଭଳି ଅନେକ ଲତାଗୁଳ୍ମ ରହିଛି ଯାହାର ଯଥେଷ୍ଟ ଔଷଧୀୟ ଗୁଣ ରହିଛି । ତେଣୁ ଔଷଧୀୟ ବୃକ୍ଷଲତା ପାଇଁ ଜନସଚେତନତା ସୃଷ୍ଟି ତଥା ପ୍ରଚାର ପ୍ରସାର ହେଲେ ଏହାର ବ୍ୟବହାର ବୃଦ୍ଧି ପାଇବ ଏବଂ ଲୋକମାନେ ଉପକୃତ ହେବେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଧାୟକ ଡକଫର ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ଅନନ୍ତ ନାରାୟଣ ଜେନା, ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅଭୟକାନ୍ତ ପାଠକ, ଓର୍‌ସାକ୍‌ର ମୁଖ୍ୟ ଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ପାରମ୍ପାରିକ ଚିକିତ୍ସା ପଦ୍ଧତିରେ ଔଷଧୀୟ ବୃକ୍ଷଲତାର ଗୁରୁତ୍ୱ ଥିବାରୁ ଏହାର ସଂରକ୍ଷଣ ତଥା ବହୁଳ ଚାଷ ପାଇଁ ଚାଷୀମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ୨୦୦୮ ମସିହାରୁ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ କରିଆସୁଛି । ଏହି ମେଳା ଔଷଧୀୟ ବୃକ୍ଷଲତା ସହ ସଂପୃକ୍ତ ଚାଷୀ, ପ୍ରାଥମିକ ସଂଗ୍ରହକାରୀ ବନସୁରକ୍ଷା ସମିତିର ସଭ୍ୟ, ପାରମ୍ପାରିକ ଆରୋଗ୍ୟକାରୀ ବୈଦ୍ୟ, ବ୍ୟବସାୟୀ, ଅଣସରକାରୀ ସଂଗଠନ, ଔଷଧ ପ୍ରସ୍ତୁତକାରୀ ଓ ରପ୍ତାନୀକାରୀମାନଙ୍କ ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି ।

ଏହି ମେଳାରେ ଅନ୍ୟାନ୍ୟ ଆକର୍ଷଣ ମଧ୍ୟରେ ସର୍ବସାଧାରଣଙ୍କ ନିମନ୍ତେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା, ବୟସ୍କ ନାଗରିକମାନଙ୍କର ଦୁରାରୋଗ୍ୟ ବ୍ୟାଧି ଯଥା ମଧୁମେହ, ସ୍ତ୍ରୀ ରୋଗ, ଉଚ୍ଚ ରକ୍ତଚାପ ଓ ଚର୍ମରୋଗ ଇତ୍ୟାଦି ଉପରେ ଆଲୋଚନା ଚକ୍ର, ବୈଦ୍ୟ କର୍ମଶାଳା, ଆୟୁର୍ବେଦ ଡାକ୍ତରମାନଙ୍କର ସମ୍ମିଳନୀ ଆୟୋଜନ କରାଯିବା ସହିତ ଏହି ମେଳାରେ ମଧ୍ୟ ଯୋଗ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । କେତେକ ଔଷଧୀୟ ଉଦ୍ଭିଦ ଚାଷୀ ଉତ୍ସାହୀ ଜନସାଧାରଣଙ୍କୁ ଔଷଧୀୟ ଉଦ୍ଭିଦର ଚାରା ପ୍ରସ୍ତୁତି ଓ ଚାଷ ସଞ୍ଚନ୍ଧରେ ମଧ୍ୟ ଅବଗତ କରାଇବାର ବନ୍ଦୋବସ୍ତ କରାଯାଇଛି । ଏତଦ୍‌ବ୍ୟତୀତ ପ୍ରତ୍ୟହ ସନ୍ଧ୍ୟାରେ ସର୍ବସାଧାରଣଙ୍କୁ ହର୍ବାଲ୍‌ ଚା ମାଗଣାରେ ପ୍ରଦାନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି ।

ଏଠାରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଯଥା ହରିଡ଼ା, ବାହାଡ଼ା, ମହୁ, ଝୁଣା, ଔଷଧୀୟ ଗଛର ଚେରମୂଳିର ଢେର ଚାହିଦା ଦେଖିବାକୁ ମିଳୁଛି । ଏହି ମେଳାରେ ପାଖା ପାଖି ୨ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି । ଉଦ୍‌ଯାପନୀ ଅବସରରେ ଔଷଧୀୟ ବୃକ୍ଷଚାରା, ଗବେଷଣା ଓ ପ୍ରଦର୍ଶନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ସଞ୍ଚର୍ଦ୍ଧିତ କରାଯାଇଥିଲ । ।

Comments are closed.