ପଞ୍ଜାବ: ଡିସେମ୍ବର ୧ରୁ କବାଡି ବିଶ୍ବକପ୍

ଚଣ୍ଡୀଗଡ଼: ଡିସେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଭାରତରରେ ଆୟୋଜିତ ହବେ କବାଡି ବିଶ୍ବକପ୍। ପଞ୍ଜାବ ସରକାରଙ୍କ ପକ୍ଷରୁ କବାଡି ବିଶ୍ୱକପ୍ ଆୟୋଜିତ ହେଉଛି। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, “ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଶିଖ୍ ଗୁରୁ ଗୁରୁନାନକ ଦେବଙ୍କ ଜୀ’ଙ୍କର ୫୫୦ତମ ଜୟନ୍ତୀକୁ ସମର୍ପିତ କରାଯିବ।”
ବିଶ୍ୱକପରେ ମୋଟ ୯ଟି ଦଳ ଯଥା- ଆୟୋଜକ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, କେନିୟା, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ କ୍ୟାନାଡ଼ା ଭାଗ ନେବାର ଯୋଜନା ରହିଛି। ତେବେ ପାକିସ୍ତାନ ଓ କ୍ୟାନାଡା ଟିମକୁ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ତରଫରୁ ସ୍ୱୀକୃତି ମିଳିନାହିଁ। ସୋଢୀ ଆହୁରି କହିଛନ୍ତି, “ପାକିସ୍ତାନ ଓ କ୍ୟାନାଡା ଟିମ୍ ବ୍ୟତୀତ ବାକି ସବୁ ଟିମକୁ ଏନଓସି ମିଳିସାରିଛି। ତେବେ ଏହି ଦୁଇ ଦେଶକୁ ଏପର୍ଯ୍ୟନ୍ତ ଏନଓସି ମିଳି ନାହିଁ।”
ଟୁର୍ଣ୍ଣାମେଣ୍ଟର ଉଦଘାଟନ ଡିସେମ୍ବର ୧ ତାରିଖରେ ସୁଲତାନପୁର ଲୋଧିର ଗୁରୁନାନକ ଷ୍ଟାଡିୟମରେ ହେବ ଏବଂ ଏହି ଦିନ ଚାରୋଟି ମୁକାବିଲା ଖେଳାଯିବ। ଉଦଯାପନୀ ସମାରୋହ ଡେରା ବାବା ନାନକର ସହିଦ୍ ଭଗତ ସିଂହ ସ୍ପୋର୍ଟ୍ସ ଷ୍ଟାଡିୟମରେ ହେବ।
Comments are closed.