Odisha Link
Bridging the Missing Links in Odisha

ରାଜ୍ୟ ସରକାର ଧାନ କିଣା ଲକ୍ଷ୍ୟ ବୃଦ୍ଧି କରନ୍ତୁ : ବିଜେପି

ଭୁବନେଶ୍ୱର : ୨୦୧୮-୧୯ ଖରିଫ୍ ଋତୁରେ ରାଜ୍ୟ ସରକାର ୫୫ ଲକ୍ଷ ମେଟ୍ରିକ୍ ଟ୍ରନ୍ ଧାନ କିଣିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ୨୦୧୮-୧୯ରେ ପାଖାପାଖି ୧୭ଟି ଜିଲ୍ଲାରେ ମରୁଡିରେ ଫସଲ ହାନି ହୋଇଥିବା କଥା ସରକାର ସ୍ୱୀକାର କରିଥିଲେ । ହେଲେ ଚଳିତ ବର୍ଷ ୨୦୧୯-୨୦ ଖରିଫ୍ ଋତୁ ଯେତେବେଳେ ବର୍ଷା ଭଲ ହୋଇଛି ଓ ଫସଲ ବି ଭଲ ହୋଇଛି ସେତେବେଳେ ରାଜ୍ୟ ସରକାର ୫୦ଲକ୍ଷ ମେଟ୍ରିକ୍ ଟ୍ରନ୍ ଧାନ କିଣିବେ ବୋଲି ଲକ୍ଷ୍ୟ କେମିତି ରଖିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀର ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଶିବାଜୀ ମହାନ୍ତି ।

ମହାନ୍ତି କହିଛନ୍ତି ଯେ ୨୦୧୮-୧୯ରେ ମରୁଡି ହେବା ସତ୍ୱେ ସରକାର ଯେତିକି ଧାନ କିଣିଲେ ଚଳିତ ବର୍ଷ ଭଲ ଫସଲ ବେଳେ ତାଠାରୁ କମ ଧାନ କିପରି କିଣିବେ ତାହା ଏକ ବଡ ପ୍ରଶ୍ନ । ପଶ୍ଚିମ ଓଡିଶାରେ କିଛି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଧାନ ହେବାର ସମ୍ଭାବନା ଅଛି ଏବଂ ଧାନ ବିକିବେ ବୋଲି ୧୨ଲକ୍ଷ ୫୦ହଜାରରୁ ଉଦ୍ଧ୍ୱର୍ ଚାଷୀ ରେଜିଷ୍ଟ୍ରସନ୍ କରିଛନ୍ତି । ହେଲେ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ମାତ୍ର ୫୦ଲକ୍ଷ ମେଟ୍ରିକ୍ ଟ୍ରନ୍ ।

ଯେତେବେଳେ ମରୁଡି ପଡିଲା, କମ୍ ଚାଷୀ ରେଜିଷ୍ଟ୍ରସନ୍ କରିଥିଲେ ସରକାର ଲକ୍ଷ୍ୟ ରଖିଲେ ୫୫ ଲକ୍ଷ ମେଟ୍ରିକ୍ ଟ୍ରନ୍ । ଯେତେବେଳେ ଭଲ ଧାନ ହେଇଛି ଏବଂ ଚାଷୀ ଅଧିକ ସଂଖ୍ୟାରେ ରେଜିଷ୍ଟ୍ରେସନ୍ କରିଛନ୍ତି ଧାନ ବିକିବା ପାଇଁ ସେତେବେଳେ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ୫୦ଲକ୍ଷ ମାଟ୍ରିକ୍ ଟ୍ରନ୍ । ଏହା କମିବା କଥା ନା ବଢିବା କଥା ବୋଲି ମହାନ୍ତି ପ୍ରଶ୍ନ କରିଛନ୍ତି । ଯେତେବେଳେ ବଢାଇବା କଥା ସେତେବେଳେ ସରକାର ଧାନ କମ କିଣୁଛନ୍ତି ଯାହାଫଳରେ ଚାଷୀ ବାଧ୍ୟ ହୋଇ କମ୍ ଦରରେ ମିଲରଙ୍କୁ ବିକ୍ରି କରିବ ଏବଂ ମିଲର୍ ତାର ଗଳା ବାଟ ଖୋଜି ତାକୁ ନେଇ ଚାଉଳ ବନାଇବ ଏହା ହେଉଛି ସରକାରଙ୍କର ଉଦ୍ଦେଶ୍ୟ ବୋଲି ମହାନ୍ତି କହିଛନ୍ତି । ମହାନ୍ତି କହିଛନ୍ତି ଯେ, ପି-ପାସ୍ ସିଷ୍ଟମ୍ କରି ଚାଷୀମାନଙ୍କୁ ଅଯଥାରେ ହଇରାଣ କରୁଛନ୍ତି ସରକାର ।

ଏହି ବ୍ୟବସ୍ଥାରେ ଚାଷୀ ଯେଉଁମାନେ ରେଜିଷ୍ଟ୍ରସନ୍ କରିଛନ୍ତି ସେମାନେ ଯଦି ମଣ୍ଡିକୁ ଧାନ ଆଣିବେ ଏବଂ ମଣ୍ଡି ଦାୟିତ୍ୱରେ ଥିବା ସେକ୍ରେଟାରୀ ଯିଏ ଅଛନ୍ତି ଦାୟିତ୍ୱରେ ସେମାନେ ପାସ ପାଇଁ ଚାଷୀର ନାଁକୁ ପଠାଇବେ ଭୁବନେଶ୍ୱର । ଭୁବନେଶ୍ୱର ଠାରେ ପି. ପାସ୍ କଂଟ୍ରୋଲରୁମରୁ ଏହା ଆପ୍ରୋଭାଲ ହେଲା ପରେ ଯାଇ ଧାନ ବିକ୍ରି କରିପାରିବ ଚାଷୀ । ବିଗତ ଦିନରେ ଯେତେବେଳେ ପି.ପାସ୍ ବ୍ୟବସ୍ଥା ମଣ୍ଡିରେ କଂଟ୍ରୋଲ୍ ହେଉଥିଲା ସେତେବେଳେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରୁନଥିଲା ଏବଂ ଦିନ ଦିନ ଧରି ଧାନ ପକାଇ ସେଠାରେ ତାକୁ ରହିବାକୁ ପଡୁଥିଲା ।

ଏବେ ଏହାକୁ ଭୁବନେଶ୍ୱରରେ କଂଟ୍ରୋଲ୍ କରାଇଲେ ଏହା ଆହୁରି ବିଳମ୍ବ ହେବ । କେଉଁଠି ନା କେଉଁଠି ସରକାର ଚାଷୀଙ୍କୁ ହଇରାଣ ହରକତ୍ କରିବା ଉଦ୍ଦେଶ୍ୟରେ ପି.ପାସ୍ କଂଟ୍ରୋଲ୍ ରୁ ଭୁବନେଶ୍ୱରରୁ ନିୟନ୍ତ୍ରଣ କରିଛନ୍ତି । ଏହା “ଚାଷୀଙ୍କ ପାଟିରେ ଚାମୁଚେ ଚିନି ଦେଇ ପେଟରେ ଗୋଇଠା ଓ ପିଠିରେ ବିଧା ମାଡ” ସଦୃଶ ବୋଲି ମହାନ୍ତି କଟାକ୍ଷ କରି କହିଛନ୍ତି ।

ଆଜି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ହଜାର ହଜାର କୁଇଂଟାଲ୍ ଧାନ ପକାଇ ଲୋକ ମାନେ ରାସ୍ତାରୋକ୍ କରିଛନ୍ତି ଓ କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଯଦି ଏହି ବିଷୟକୁ ନେଇ ସରକାର ଠିକଣା ଅନୁଯାୟୀ କିଛି ପଦକ୍ଷେପ ନନେବେ ତେବେ ଆସନ୍ତା ଦିନରେ ଭାରତୀୟ ଜନତାପାର୍ଟି ର କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ଏବଂ ଚାଷୀଙ୍କ ପାଇଁ ଲଢେଇ କରିବ ବୋଲି ମହାନ୍ତି ଚେତାବନି ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।

Comments are closed.