Odisha Link
Bridging the Missing Links in Odisha

ଗଣକବିଙ୍କ ସୃଷ୍ଟିରେ ରହିଛି ଉତ୍କଳୀୟ ପ୍ରାଣମୟତା ଓ ଜନଜୀବନର ନିଶ୍ୱାସ ପ୍ରଶ୍ୱାସ : ରାଜ୍ୟପାଳ

ଭୁବନେଶ୍ହର : କବିମାନେ ହେଉଛନ୍ତି ମନ୍ତ୍ରଦ୍ରଷ୍ଟା । ଈଶ୍ୱର ନିଜର ସୃଜନର ପ୍ରକାଶ ପାଇଁସେମାନଙ୍କୁ ପୃଥିବୀକୁ ପଠାଇଥା’ନ୍ତି । ସେମାନେ ନିଜେ ଜଳି ଜଳି ଅନ୍ୟକୁ ଆଲୋକ ଦିଅନ୍ତି । ସେହିଭଳି ଜଣେ ଅନନ୍ୟ ବିରଳ ସୃଜନ ପ୍ରତିଭା ହେଉଛନ୍ତି ଗଣକବି ବୈଷ୍ଣବ ପାଣି । ଜଣେ କବି, ନାଟ୍ୟକାର, ଲେଖକ, ଅଭିନେତା, ଗାୟକ, ସଂଗୀତ ନିର୍ଦ୍ଦେଶକ, ମଞ୍ଚ ପରିଚାଳକ ଆଦି ସମସ୍ତ ଭୂମିକାରେ ସେ ଯେଭଳି ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ତା’ର ତୁଳନା ନାହିଁ । ତାଙ୍କ ସୃଷ୍ଟିରେ ରହିଛି ଉତ୍କଳୀୟ ପ୍ରାଣମୟତା ଓ ଜନଜୀବନର ନିଶ୍ୱାସ ପ୍ରଶ୍ୱାସ । ତାଙ୍କର ସମସ୍ତ ଅ ପ୍ରକାଶିତ ଲେଖା ପ୍ରକାଶ କରି ତାଙ୍କ ପ୍ରତି ସମୁଚିତ ସମ୍ମାନ ପ୍ରଦାନ କରିବାକୁ ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ଆହ୍ୱାନ ଦେଇଛନ୍ତି ।

ଆଜି ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଗଣକବି ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଗଣକବି ଜୟନ୍ତୀ ସମାରୋହରେ ଯୋଗଦେଇ ରାଜ୍ୟ ପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶା ହେଉଛି ଶାଶ୍ୱତ ଓ ସାରସ୍ୱତ ଭୂମି । ଏଠାରେ ସୃଜନର ଅବାରିତ ଧାରା ପ୍ରବାହିତ । ଯାହାଫଳରେ ଓଡ଼ିଶାର କଳା, ସଂଗୀତ, ସାହିତ୍ୟ, ନୃତ୍ୟ ଉତ୍କର୍ଷର ଏକ ପ୍ରତୀକ ଭାବରେ ପ୍ରକଟିତ ହୋଇଛି । ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗୀ ଓ ପ୍ରତ୍ୟେକ ଶିଶୁ ବିଦ୍ୟାରମ୍ଭରେ ବ୍ରହ୍ମ-ବିଷ୍ଣୁ-ମହେଶ୍ୱର ଉଚ୍ଚାରଣ ପୂର୍ବକ ଖଡ଼ି ଚାଳନା କରିବା ଅନ୍ୟ କେଉଁଠି ପରିଦୃଷ୍ଟ ହୁଏ ନାହିଁ ।

ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ଅଧ୍ୟାତ୍ମ ଭାବରେ ଆପ୍ଳୁତ । ସମଗ୍ର ବ୍ରହ୍ମାଣ୍ଡରେ ଏ ପରି କିଛି ନାହିଁ ଯାହା ଓଡ଼ିଶାରେ ନାହିଁ । ଏ ପରି ଏକ ଭୂମିର ସୁଯୋଗ୍ୟ ସନ୍ତାନ ଭାବରେ ଗଣକବି ବୈଷ୍ଣବ ପାଣି ଓଡ଼ିଶାର ସାହିତ୍ୟ-ସଂସ୍କୃତିକୁ ଯେଉଁ ଅବଦାନ ଦେଇଛନ୍ତି ସେଥି ପାଇଁ ସେ ଓଡ଼ିଆମାନଙ୍କ ପାଖରେ ଚିରସ୍ମରଣୀୟ ରହିବେ ।

ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ଗଣକବିଙ୍କ ସୃତିରକ୍ଷା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି । ତାଙ୍କ ଲେଖାକୁ ଅନ୍ୟ ଭାଷାରେ ଅନୁବାଦ କରି ପ୍ରସାର କରିବା ପାଇଁ ବ୍ୟବସ୍ଥା ହୋଇଛି । କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ଗଣକବିଙ୍କ ସାହିତ୍ୟର ପ୍ରସାର ପାଇଁ ପଦକ୍ଷେପ ନିଆଯାଉଛି । ଗଣକବିଙ୍କ ବାଲ୍ୟକାଳ କଟିଥିବା ମଠର ଉନ୍ନତିକରଣ ପାଇଁ ଏକ କୋଟି ଟଙ୍କା ବ୍ୟୟ କରାଯାଉଥିବା ମନ୍ତ୍ରୀ ଜେନା ସୂଚନା ଦେଇଥିଲେ ।

ଏହି ଅବସରରେ ବିଶିଷ୍ଟ ଗାୟିକା ତୃପ୍ତି ଦାସଙ୍କୁ ଗଣକବି ସମ୍ମାନ ଓ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ମାହାଙ୍ଗା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ସଂସଦର ସଂଯୋଜକ ଅବନୀ ଚନ୍ଦ୍ର ଦାସ ଓ ସଂପାଦକ ଦେବ ଜେନା ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

Comments are closed.