Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ବସୁଛି ଘନଘନ ବୈଠକ, ଅପେକ୍ଷା କାଲିକୁ

ମୁମ୍ବାଇ: ଆସନ୍ତାକଲି ମହାରାଷ୍ଟ୍ର ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ କିଏ ମହାରାଷ୍ଟ୍ରରେ ସରକାର ଗଠନ କରିବ ସେ ନେଇ ଆସନ୍ତାକାଲି ହେବ ଫୈସଲା। ଗତକାଲି କଂଗ୍ରେସ-ଏନସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ଘନଘନ ବୈଠକ କରିବାରେ ଲାଗିଛନ୍ତି। ତଥାପି ୩ଟି ଯାକ ଦଳ ଏଯାଏ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି।

ଆଜି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସାହେବ ଥୋରାଟ କହିଛନ୍ତି, “ଆସନ୍ତା ୫ ବର୍ଷ ପାଇଁ କଂଗ୍ରେସ-ଏନ୍‌ସିପି ଓ ଶିବସେନା ସରକାର ଚଳାଇ ପାରିବେ କି ନାହିଁ, ସେ ସମ୍ପର୍କରେ ଆହୁରି ଆଲୋଚନା କରିବାର ଅଛି। ୩ ଦଳ ମଧ୍ୟରେ ଏମିତି କିଛି ପଏଣ୍ଟ ରହିଛି, ଯାହା ମେଣ୍ଟ ପୂର୍ବରୁ ସମାଧାନ ହେବା ଦରକାର। ତେଣୁ ଏବେ ବି ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ଆମେ ଆଜି ମୁମ୍ବାଇରେ ପୁଣି ଏ ସମ୍ପର୍କରେ ଆଲୋଚନା କରିବୁ।” ଶିବସେନା ହିନ୍ଦୁତ୍ୱବାଦ ରାଜନୀତି କରୁଥିବାରୁ ଏହି ଦଳ ସହ ହାତ ମିଳାଇବା କଂଗ୍ରେସ ଓ ଏନ୍‌ସିପି ପାଇଁ ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସମାଧାନ ହିଁ ଆଲୋଚନାର ମୂଳ ଏଜେଣ୍ଡା ରହିଛି ବୋଲି କହିଛନ୍ତି ଥୋରାଟ।

ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ ବସିଥିଲା। ବୈଠକରେ ମହାରାଷ୍ଟ୍ର ରାଜନୀତିକ ସ୍ଥିତି ଉପରେ ଆଲୋଚନା ହୋଇଛି। ସୋନିଆ ଗାନ୍ଧିଙ୍କ ବାସଭବନରେ ବସିଥିବା ଏହି ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା କେକେ ଭେନୁଗୋପାଲ କହିଛନ୍ତି, “ମହାରାଷ୍ଟ୍ରରେ ସରକାର ଗଠନ ନିଷ୍ପତ୍ତି ଉପରେ କଂଗ୍ରେସ ଆସନ୍ତାକାଲି ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେବ।”

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଡିସେମ୍ବର ୧ ପୂର୍ବରୁ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବ। ୩ ଦଳ ମିଳିତ ଭାବେ ମୁମ୍ବାଇରେ ବୈଠକ କରିବେ। ଶିବସେନା ସର୍ବଦା ଧର୍ମନିରପେକ୍ଷରେ ବିଶ୍ୱାସ କରେ। ଦେଶ ଧର୍ମନିରପେକ୍ଷ ପାଇଁ ଚାଲିଛି। ଚଳିତ ସପ୍ତାହରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ କୌଣସି ବୈଠକ ହେବାର ନାହିଁ। ତେବେ ଆସନ୍ତାକାଲି ସୁଦ୍ଧା ସରକାର ଗଠନ ଚିତ୍ର ସ୍ପଷ୍ଟ ହୋଇଯିବ।”

Comments are closed.