Odisha Link
Bridging the Missing Links in Odisha

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୯

ଭୁବନେଶ୍ବର: ଗଳ୍ପ ସଂକଳନ ‘ଭାସ୍ବତୀ’ ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଖ୍ୟାତ ଓଡ଼ିଆ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର। ଇଂରାଜୀ ସମେତ ୨୪ଟି ଭାରତୀୟ ଭାଷାର ଲେଖକଙ୍କ ପାଇଁ ଆଜି ସାହିତ୍ୟ ଏକାଡେମୀ ନାମ ଘୋଷଣା କରୁଥିବା ବେଳେ ସେଥିରେ ଶ୍ରୀ ମିଶ୍ରଙ୍କ ନାମ ରହିଛି। କଟକର ପ୍ରକାଶନ ସଂସ୍ଥା ‘ବିଦ୍ୟାପୁରୀ’ ଦ୍ବାରା ଶ୍ରୀ ମିଶ୍ରଙ୍କ ଏ ଗଳ୍ପ ପୁସ୍ତକଟି ପ୍ରକାଶିତ। ବିଚାରକ ଭାବେ ମାଳବିକା ରାୟ, କବି ଫନୀ ମହାନ୍ତି ଓ ଗବେଷକ ପ୍ରଫୁଲ୍ଲ କୁମାର ମହାନ୍ତି ଶ୍ରୀ ମିଶ୍ରଙ୍କ ପୁସ୍ତକକୁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ଚୟନ କରିଛନ୍ତି।

ଖୁବ୍‌ କମ୍‌ ବୟସରୁ ଲେଖାଲେଖି ଆରମ୍ଭ କରିଥିବା ଶ୍ରୀ ମିଶ୍ରଙ୍କର ପ୍ରଥମ ଗଳ୍ପ ମାତ୍ର ୧୪ ବର୍ଷ ବୟସରେ ଆସନ୍ତାକାଲିରେ ପ୍ରକାଶ ପାଇଥିଲା। ବିଜେବି ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ୧୯୬୮ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗଳ୍ପ ସଂକଳନ। ସେ ୨୦୦ରୁ ଅଧିକ ଗଳ୍ପ ରଚନା କରିଥିବା ବେଳେ ତାଙ୍କର ଏକମାତ୍ର ଉପନ୍ୟାସ ‘ଶରଦ ଶତମ୍‌’ ଆଦିବାସୀ ଅଧ୍ୟୁଷିତ ଦଣ୍ଡକାରଣ୍ୟ ଜଙ୍ଗଲରେ ଶରଣ ନେଇଥିବା ବାଂଲାଦେଶୀ ଶରଣାର୍ଥୀଙ୍କ ଉପରେ ଆଧାରିତ। ଏହା ଭିନ୍ନ ତାଙ୍କର ୧୮ ଗୋଟି ଗଳ୍ପ ସଂକଳନ ରହିଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନ ସମେତ ଶ୍ରୀ ମିଶ୍ର ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ। ତାଙ୍କ କାହାଣୀରେ ଗଭୀର ମାନବୀୟ ସମ୍ବେଦନା, କରୁଣା ଓ ପ୍ରେମ ଦେଖିବାକୁ ମିଳେ। ସାଧାରଣ ମଣିଷର ପୀଡ଼ା ଆଉ ପୁଲକ ତାଙ୍କ ଅଧିକାଂଶ କାହାଣୀର ମୁଖ୍ୟ ଉପାଦାନ। ବିଶାଳ ଜୀବନର କାନଭାସ୍‌ରେ ସେ ଆଧୁନିକ ମଣିଷର କ୍ଷୁଧା, ପ୍ରବଞ୍ଚନା ଓ ଛଳନାକୁ ବେଶ୍‌ ସଫଳତାର ସହ ଆଙ୍କିପାରନ୍ତି। ତେବେ ବିଡ଼ମ୍ବନା ଭିତରେ ଆଶା, ସଂକଟ ଭିତରେ ସମ୍ଭାବନା ଆଉ ଅଶ୍ରୁଧାରରେ ଆନନ୍ଦ ବି ତାଙ୍କ କଥାଶୈଳୀର ଅନ୍ୟତମ ବିଭବ।

୧୯୫୦ ମସିହା ଅଗଷ୍ଟ ୩ ତାରିଖରେ କେନ୍ଦୁଝରରେ ଜନ୍ମିତ ତରୁଣକାନ୍ତି ପୁରୀର ଜିଲ୍ଲା ସ୍କୁଲ ଓ କଟକର ପ୍ୟାରୀମୋହନ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ଭୁବନେଶ୍ବର ବିଜେବି ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର, ଉତ୍ତର ଓଡ଼ିଶା ବିଶ୍ବିଦ୍ୟାଳୟରୁ ଡିଲିଟ୍‌ ଓ ୟୁରୋପର ଇଷ୍ଟ ଆଙ୍ଗ୍ଲିଆ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଛନ୍ତି ଶ୍ରୀ ମିଶ୍ର।

ଶିକ୍ଷା ସମାପ୍ତ ପରେ ଶିକ୍ଷକତାକୁ ପେଶା କରିବା ଲାଗି ମନ ବଲାଇଥିଲେ ବି ଘଟଣାକ୍ରମରେ ୧୯୭୫ରେ ଶ୍ରୀ ମିଶ୍ର ଭାରତୀୟ ପ୍ରାଶାସନିକ ସେବାରେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ ଶେଷରେ ୨୦୦୯ ଅଗଷ୍ଟ ମାସରେ ରାଜ୍ୟର ମୁଖ୍ୟ ସଚିବ ପଦ ମଣ୍ଡନ କରିଥିଲେ ଶ୍ରୀ ମିଶ୍ର। ୨୦୧୦ରେ ଅବସର ଗ୍ରହଣ କରିଥିଲେ। ପରେ ରାଜ୍ୟ ସରକାର ତାଙ୍କୁ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ। ୨୦୧୫ରେ କାର୍ଯ୍ୟରୁ ଅବ୍ୟାହତି ନେଇ ଏବେ ପରିବାର ଓ ସାହିତ୍ୟ ଭିତରେ ନିଜର ସମୟ ବ୍ୟୟ କରୁଛନ୍ତି ଶ୍ରୀ ମିଶ୍ର।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଥିବା ଅବସରରେ ଶ୍ରୀ ମିଶ୍ରଙ୍କୁ ଓଡ଼ିଶା ଲିଙ୍କ୍‌ ପକ୍ଷରୁ ଅଭିନନ୍ଦନ।

Comments are closed.