ଅସହିଷ୍ଣୁତାର ଆତଙ୍କ
କିଛି ବର୍ଷ ହେଲା ଆମ ଦେଶରେ ଅସହିଷ୍ଣୁତାର ଆତଙ୍କ ଦେଖା ଦେଇଛି, ଏବଂ କେତେକଙ୍କ ମତରେ ଏହାର ପ୍ରାବଲ୍ୟ ହୋଇଛି କେନ୍ଦ୍ରରେ ବିଜେପି ସରକାର ଆସିବା ପରେ। ଏହି ଅସହିଷ୍ଣୁତାର ପ୍ରଥମ ପର୍ବରେ ଶରବ୍ୟ ହୋଇଥିଲେ ରାଶନାଲିଷ୍ଟ ବା ବୁଦ୍ଧିଜୀବୀ : ୨୦ ଅଗଷ୍ଟ ୨୦୧୩ରେ ନରେନ୍ଦ୍ର ଦାଭୋଲକରଙ୍କୁ ଗୁଳି କରାଗଲା; ଫେସବୁକ୍ରେ ଶିବାଜୀ ଓ ଠାକରେଙ୍କ କାର୍ଟୁନ ଦେଇଥିବାରୁ ୪ ଜୁନ ୨୦୧୪ରେ ମହମ୍ମଦ ସିଦ୍ଦିକ୍କି ଶେଖଙ୍କୁ ପିଟି ପିଟି ହତ୍ୟା କରାଗଲା; ୨୦ ଫେବ୍ରୁଆରି ୨୦୧୫ରେ ଦାଭୋଲକରଙ୍କ ଅନୁଗାମୀ ଗୋବିନ୍ଦ ପାନସାରେଙ୍କୁ ଓ ୩୦ ଅଗଷ୍ଟ ୨୦୧୫ରେ ଏମ୍.ଏମ୍. କୁଲବର୍ଗୀଙ୍କୁ ମାରି ଦିଆଗଲା। ଏ ସବୁ ହତ୍ୟା ମୂଳରେ ଉଗ୍ର ହିନ୍ଦୁତ୍ୱବାଦୀଙ୍କର ହାତ ଥିଲା ବୋଲି କୁହାଯାଉଛି।
ତା’ ପରେ ଆସିଲା ଗୋମାଂସ ବିବାଦରେ ଦାଦ୍ରିରେ ଜଣେ ମୁସଲମାନକୁ ହତ୍ୟା, ଅସହିଷ୍ଣୁତାର ପ୍ରତିବାଦରେ ପୁରସ୍କାର ଫେରାଇବାର ପର୍ବ ଏବଂ ନିକଟରେ ଜେଏନୟୁରେ ଛାତ୍ର ବିକ୍ଷୋଭ। ଏ ଘଟଣାମାନ ଆମ ଦେଶ ଓ ସମାଜରେ ଏକ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି।
ଆମ ଓଡ଼ିଶାରେ ଏ ବିଷୟରେ ବିଶେଷ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ଆମର କବି ଜୟନ୍ତ ମହାପାତ୍ର ସରକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବାକୁ ଚାହାନ୍ତି ବୋଲି ଦେଇଥିବା ଚିଠିକୁ ନେଇ। ହିନ୍ଦୁ ଖବରକାଗଜକୁ ଦେଇଥିବା ସାକ୍ଷାତ୍କାରରେ ଜୟନ୍ତ କହିଛନ୍ତି, ଗୋଟିଏ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବାରୁ ଏବଂ ଏକ ସଂଖ୍ୟା ଗରିଷ୍ଠ ସଂପ୍ରଦାୟ ଭିତରେ ରହୁଥିବା ଯୋଗୁ ମୁଁ ମୋ ଲେଖା ପ୍ରତି ଧ୍ୟାନ ଦେଇପାରୁନାହିଁ, କାରଣ ମୁଁ ଭୟ କରୁଛି ମୋ ଲେଖା ପଢ଼ି ମୋର ସାଇ ପଡ଼ିଶାଙ୍କର ପ୍ରତିକ୍ରିୟା ହେବ। ପାୟୋନିୟର କାଗଜକୁ ଦେଇଥିବା ଅନ୍ୟ ଏକ ସାକ୍ଷାତ୍କାରରେ ସେ ଆହୁରି କହିଛନ୍ତି, ମୁଁ ଭୟରେ ଅଛି। ମୁଁ ଓ ମୋର ବନ୍ଧୁମାନେ ଆମ ନିଜ ପସନ୍ଦର ପ୍ରାର୍ଥନା ସ୍ଥଳୀକୁ ଯିବାକୁ ଭୟ କରୁଛୁ।
ଜୟନ୍ତ ମହାପାତ୍ର ଯେ ଖ୍ରୀଷ୍ଟିଆନ ତା’ ବୋଧହୁଏ ଅଧିକାଂଶ ଲୋକଙ୍କୁ ଅଜଣା ଥିଲା। ମୁଁ ଭାବୁଛି ଜୟନ୍ତଙ୍କର ଭୟ ଅମୂଳକ, କିନ୍ତୁ ସେ ଯେ ଏଭଳି ଆଶଙ୍କା ଅନୁଭବ କରୁଛନ୍ତି, ସେ କଥାଟି ଗୁରୁତ୍ୱପୂର୍ଣ୍ଣ। ଷ୍ଟେନ୍ସ୍ ହତ୍ୟା କଥା ଏ ପର୍ଯ୍ୟନ୍ତ ଆମର ସ୍ମରଣରେ ଅଛି ଏବଂ ଏ ଭଳି ସନ୍ଦେହ ଓ ଅବିଶ୍ୱାସର ବାତାବରଣରେ କେତେବେଳେ କଣ ହେବ ସେ କଥା କହି ହେବନାହିଁ। ଜୟନ୍ତଙ୍କର ମନ୍ତବ୍ୟ ପଡ଼ୋଶୀମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟରେ ଆଞ୍ଚ ଆଣିପାରେ। ଏକ ଅସ୍ଥିର ସମୟରେ କିଛି ବି ସମ୍ଭବ।
ଜୟନ୍ତ ରହୁଥିବା କଟକ ସହର ମଧ୍ୟ ବିଦ୍ୱେଷରୁ ମୁକ୍ତ ନୁହେଁ। ୧୯୬୪ ଓ ତା’ ପରବର୍ତ୍ତୀ ହିନ୍ଦୁ-ମୁସଲମାନ କନ୍ଦଳ କଥା ଏବେ ବି କାହାରି କାହାରି ମନେ ଥିବ। ଆହୁରି ଶହେ ବର୍ଷରୁ ବେଶୀ ପଛକୁ ଫେରିଗଲେ ଆମେ ଏପରି ଗୋଟିଏ ବିବରଣୀ ଦେଖିପାରିବା।
କେତେକ ସଂପ୍ରଦାୟର ପ୍ରାୟ ୨୦୦ଣ ଲୋକ ଏକତ୍ରିତ ହୋଇ କମ୍ପ ବଜାର ବାଟେ ଗମନ କରୁଥିଲେ। ଉକ୍ତ ବଜାରର ମସ୍ଜିଦ ନିକଟରେ ହେବା ସମୟରେ କେତେକ ମୁସଲମାନ ଏମାନଙ୍କୁ ବାଜା ବଜାଇବା ବନ୍ଦ କରିବାକୁ କହିଲେ। କିନ୍ତୁ ଏତେ ବଡ଼ ଗୋଳମାଳରେ ସମସ୍ତଙ୍କର ଶୁଣିବା ଅସମ୍ଭବ। ସୁତରାଂ କୀର୍ତ୍ତନ ବନ୍ଦ ନହେବାରୁ ଚାରି ପାଞ୍ଚଜଣ ମୁସଲମାନ ଏମାନଙ୍କ ପ୍ରତି ଦଙ୍ଗା ଆରମ୍ଭ କଲେ। କେହି କେହି ଆଘାତପ୍ରାପ୍ତ ହୋଇ ଅଛନ୍ତି।(ଉତ୍କଳ ଦୀପିକା ଜୁନ୍ ୩, ୧୮୯୩)। ଦୀପିକାଙ୍କ ମତରେ କଟକରେ ଏ ଭଳି ଘଟଣା ଆଗରୁ ଘଟିନଥିଲା।
ଧର୍ମଭିତ୍ତିକ ଦ୍ୱନ୍ଦ୍ୱ ଓ ହିଂସା ଓଡ଼ିଶାରେ ନୂଆ କଥା ନୁହେଁ। ଶହ ଶହ ବର୍ଷ ପୁରୁଣା ମାଦଳା ପାଞ୍ଜିରେ ବ୍ରାହ୍ମଣ ଓ ବୌଦ୍ଧମାନଙ୍କର ବିବାଦ ବିଷୟରେ ଏକ ରୋଚକ ବର୍ଣ୍ଣନା ଅଛି, ଯାହା ଚୁଡ଼ଗଙ୍ଗ ଦେବଙ୍କ ବଂଶଧର ମଦନ ମହାଦେବଙ୍କ ସମୟର ବୋଲି କୁହାଯାଇଛି। କାହାଣୀଟି ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିବାରୁ ଏଠାରେ ତା’କୁ ସଂପୂର୍ଣ୍ଣ ଉଦ୍ଧାର କରାଯାଉଛି।
ପର୍ବତ କନ୍ଦରାମାନଙ୍କରେ ଚୌରାଅସି ଗୁମ୍ଫାମାନ କରି ସିଦ୍ଧ ବୌଦ୍ଧମାନେ ରହିଅଛନ୍ତି। ଏମାନେ ସର୍ବଜ୍ଞ। ଏକ ଦିନକରେ ରାଜାଙ୍କ ରାଣୀମାନେ ବୋଇଲେ ବୌଦ୍ଧ ବଡ଼ ସର୍ବଜ୍ଞ। ଇଥିକି ରାଜା ବୋଇଲେ ବୌଦ୍ଧେ କି ସର୍ବଜ୍ଞ, ବ୍ରାହ୍ମଣମାନେ ବଡ଼। ଏଥକୁ ରାଣୀଏ ବୋଇଲେ ବୌଦ୍ଧମାନଙ୍କୁ ବ୍ରାହ୍ମଣମାନଙ୍କୁ ପରୀକ୍ଷା କର, କିଏ ସର୍ବଜ୍ଞ, କାହାର ବଚନ ପ୍ରମାଣ। ଏଥକୁ କେହି ନ ଜାଣନ୍ତି। ହାଣ୍ଡି ଗୋଟିକେ ସର୍ପ ଗୋଟାଏ ପୁରାଇ ମୁଦାଇ ବୌଦ୍ଧମାନଙ୍କୁ ବ୍ରାହ୍ମଣମାନଙ୍କୁ ରାଜା ହକରାଇ ଅଣାଇଁ ଆଗେ ବୌଦ୍ଧମାନଙ୍କୁ ପଚାରିଲେ- ଏ ହାଣ୍ଡିରେ କି ଅଛି କହ। ଏଥକୁ ବୌଦ୍ଧମାନେ କହିଲେ ମହାରାଜା, ଏ ହାଣ୍ଡିରେ ସର୍ପ ଗୋଟିଏ ଅଛି। ଏହା ଶୁଣି ରାଜାଙ୍କୁ ରାଣୀ ତୁନି କରି କହିଲେ, ରାଜା ହାରିଲେ। ଏଥକୁ ରାଜା ଲାଜ ପାଇଲେ। ବ୍ରାହ୍ମଣମାନଙ୍କୁ ପଚାରିଲେ। ବ୍ରାହ୍ମଣମାନେ ବିଚାରିଲେ ଏମାନେ ସେ ବିଜ୍ଞ, ଏହାଙ୍କ ବଚନ ମିଥ୍ୟା ନୋହଇ। ଆମ୍ଭେମାନେ କି କହିବା ଏମନ୍ତ ବିଚାରି କହିଲେ ମହାରାଜା, ଏ ହାଣ୍ଡିରେ ଭସ୍ମ ଗୁଡ଼ିଏ ଅଛି। ଏମନ୍ତକୁ ରାଜା ହାଣ୍ଡି ଫେଡାଇ ଦେଖିଲା ବେଳକୁ ସର୍ପ ନାହିଁ ପାଉଁସ ଗୁଡାଏ ଅଛି। ଏହା ଦେଖି ରାଜା ରାଣୀଙ୍କି ବୋଇଲେ, ବୋଲୁଥିଲ ବୌଦ୍ଧ ବଡ଼ ବୋଲି, ଦେଖ ବ୍ରାହ୍ମଣମାନଙ୍କ ବଚନ। ଏମନ୍ତ ବୋଲି ବୌଦ୍ଧମାନଙ୍କର ରାଜା ମୁଣ୍ଡ ଛେଚାଇବା ବେଳକୁ ବୌଦ୍ଧମାନେ ରାଜାଙ୍କୁ ଶାପ୍ୟ ଦେଇ ପର୍ବତ ଗୁମ୍ଫାମାନଙ୍କରୁ ବାହାର ହୋଇ ଅରଣ୍ୟକୁ ଗଲେ।
ସେହି ମାଦଳାପାଂଜିରେ ପ୍ରତାପରୁଦ୍ର ଦେବଙ୍କ ବିଷୟରେ ମଧ୍ୟ ଏକା ଭଳି କାହାଣୀ ଅଛି : ‘ରାଣୀ କହିଲେ ବ୍ରାହ୍ମଣ ବଡ଼… ବଉଧେ କହିଲେ ଏଥିରେ ସର୍ପ ଅଛି… ବ୍ରାହ୍ମଣେ କହିଲେ ଭସ୍ମ ଅଛି… ମାଠିଆ ଫେଡ଼ି ଦେଲା ବେଳକୁ ତହିଁ ଭସ୍ମ ବାହାର ହୋଇଲା। ଏ ସକାଶୁ ବଉଦଙ୍କୁ ରାଜା ବାହାର କରିଦେଲେ।’ ପ୍ରତାପରୁଦ୍ର ନିଶ୍ଚୟ ଦୟାଳୁ ଥିଲେ କାରଣ ସେ ବୌଦ୍ଧମାନଙ୍କର ମୁଣ୍ଡ ଛେଚାଇବା ପାଇଁ ଆଦେଶ ଦେଇ ନ ଥିଲେ।
ମାଦଳାପାଞ୍ଜିର ବିବରଣୀମାନ ଇତିହାସସିଦ୍ଧ ନୁହେଁ ଓ ତା’ର ଅନେକାଂଶ କଳ୍ପନା ପ୍ରସୂତ। ତେବେ ଭାରତର ଇତିହାସରେ ବ୍ରାହ୍ମଣମାନଙ୍କ ଦ୍ୱାରା ବୌଦ୍ଧମାନଙ୍କର ଦମନ ବିଷୟରେ କୌଣସି ସନ୍ଦେହ ନାହିଁ। ଏକ ସମୟରେ ବ୍ରାହ୍ମଣ-ବୌଦ୍ଧ ବିବାଦ ସଂସ୍କୃତ-ପାଲି ବିବାଦରେ ପରିଣତ ହୋଇଥିଲା କାରଣ ବୌଦ୍ଧ ଧର୍ମଗ୍ରନ୍ଥମାନ ପାଲି ଭାଷାରେ ଥିଲା। ଶେଷରେ ଗୁପ୍ତ ବଂଶର ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ସମୟରେ ପାଲି ବଦଳରେ ସଂସ୍କୃତକୁ ରାଜାଭାଷା କରାଗଲା। ବୌଦ୍ଧ ଧର୍ମାବଲମ୍ବୀ ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ପୁଷ୍ୟମିତ୍ର ସୁଙ୍ଗ କ୍ଷମତାକୁ ଆସି ବୌଦ୍ଧ ସଂହାର ନୀତି ଗ୍ରହଣ କଲେ ଓ ପ୍ରତିଟି ବୌଦ୍ଧ ଶ୍ରମଣର ମସ୍ତକ ଛେଦନ ପାଇଁ ଶହେ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଘୋଷଣା କଲେ।
କହ୍ଲଣଙ୍କର ରାଜତରଙ୍ଗିଣୀ ଅନୁସାରେ ଷଷ୍ଠ ଶତାବ୍ଦୀରେ ହୁନ ଶାସକ ବ୍ରାହ୍ମଣରେ ଧର୍ମାନ୍ତରୀତ ହୋଇ ପଂଜାବ ଓ କାଶ୍ମୀରର ବୌଦ୍ଧ ବିହାରମାନଙ୍କୁ ଧ୍ୱଂସ କଲେ। ହୁଏନ ସାଂଙ୍କ ବିବରଣୀରେ(ସପ୍ତମ ଶତାବ୍ଦୀ) ଅଛି ଯେ ଦକ୍ଷିଣ ଭାରତର ଜଣେ ବ୍ରାହ୍ମଣ ରାଣୀ ସ୍ୱାମୀଙ୍କୁ କହି ହଜାର ହଜାର ବୌଦ୍ଧଙ୍କୁ ହତ୍ୟା କରାଇଥିଲେ, ମଦୁରାଇର ୮୦୦୦ ବୌଦ୍ଧଙ୍କ ସମେତ। ଏ ସବୁ ଫଳରେ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ବୌଦ୍ଧ ଧର୍ମର ପ୍ରାଧାନ୍ୟ ଥିବା ବେଳେ ତା’ ପରେ ଏହା ପ୍ରାୟ ଲୋପ ପାଇଯାଇଥିଲା। ଆମ ଓଡ଼ିଶାରେ ସେ ସମୟରେ ଶୈବ ଧର୍ମର ଆଧିପତ୍ୟ ଥିଲା। ଏକାମ୍ର ପୁରାଣରେ ଭୁବନେଶ୍ୱର ବର୍ଣ୍ଣନା ବେଳେ କୁହାଯାଇଛି ଯେ ଶିବ ଦେବତାଙ୍କୁ ସାହାଯ୍ୟ କରି ଅସୁରଙ୍କୁ ପରାସ୍ତ କରିଥିଲେ। ତାଙ୍କର ଅନୁଗତ ଶୈବମାନେ ସେହିଭଳି ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ପଦାନତ କରିଥିଲେ। ଏପରିକି ସେମାନେ ଅଶୋକ ସ୍ତମ୍ଭକୁ କାଟି ତା’କୁ ଶିବଲିଙ୍ଗ ରୂପ ଦେଇଥିଲେ ଏବଂ ତା’କୁ ନେଇ ଭାସ୍କରେଶ୍ୱର ମନ୍ଦିରରେ ସ୍ଥାପନ କରିଥିଲେ ଯାହା ଏ ପର୍ଯ୍ୟନ୍ତ ସେଠାରେ ଅଛି। ମାଦଳା ପାଞ୍ଜିର କାହାଣୀକୁ ଏହି ପରିପ୍ରେକ୍ଷୀରେ ପଢ଼ାଯାଇପାରେ।
ଆମେ ହିନ୍ଦୁମାନେ ଗର୍ବ କରୁ ଯେ ଆମର ଧର୍ମ ଉଦାର ଏବଂ ଆମର କାହାରି ପ୍ରତି କୌଣସି ବିଦ୍ୱେଷ ନାହିଁ। ମୁସଲମାନ ଓ ଖ୍ରୀଷ୍ଟିଆନ୍ମାନେ ମଧ୍ୟ ଏ ଭଳି ଦାବି କରନ୍ତି। ପ୍ରକୃତରେ କହିବାକୁ ଗଲେ ହିନ୍ଦୁ ଧର୍ମ ଅନ୍ୟ ଧର୍ମମାନଙ୍କ ଭଳି ନୁହେଁ। ଆମେ ଭାରତୀୟମାନେ କେବେ ହେଲେ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଉ ନ ଥିଲୁ, ଏହା ହେଉଛି ଆମକୁ ଇଉରୋପୀୟମାନଙ୍କର ଅବଦାନ। ଭାରତବର୍ଷରେ ସବୁକାଳେ ବିଭିନ୍ନ ପ୍ରକାରର ମତାବଲମ୍ବୀ ଥିଲେ ଓ ବିଭିନ୍ନ ’ଧର୍ମ’ରେ ବିଶ୍ୱାସ କରୁଥିଲେ ଏବଂ ଏମାନଙ୍କ ଭିତରେ କିଛି ବି ବିଶ୍ୱାସ କରୁ ନ ଥିବା ନାସ୍ତିକ ମଧ୍ୟ ଥିଲେ। ଇଉରୋପୀୟମାନେ ସମସ୍ତଙ୍କୁ ଏକାଠି କରି ହିନ୍ଦୁ ଧର୍ମର ନାଁ ଦେଲେ ଯାହା ବର୍ତ୍ତମାନ ସର୍ବ ପ୍ରଚଳିତ।
ଇସଲାମ ଓ ଖ୍ରୀଷ୍ଟ ଧର୍ମର ମୂଳ ହେଲା ଜଣେ ଈଶ୍ୱର, ଜଣେ ପ୍ରଫେଟ ବା ଈଶ୍ୱର ଦୂତ, ଗୋଟିଏ ଈଶ୍ୱର ଦତ୍ତ ପବିତ୍ର ଗ୍ରନ୍ଥ, ଗୋଟିଏ ଧାର୍ମିକ ସଂଘ, ଧର୍ମ ବିରୋଧ ବିଷୟରେ ନୀତି ନିୟମ ଓ ଧର୍ମାନ୍ତରୀକରଣ ବ୍ୟବସ୍ଥା। ହିନ୍ଦୁଧର୍ମରେ ଏ ସବୁ ନାହିଁ। ବରଂ ଏଥିରେ ଅଛି ବହୁ ଦେବ ଦେବୀ, ବିଭିନ୍ନ ମତ ଓ ସିଦ୍ଧାନ୍ତ ଓ ଏକାଧିକ ପ୍ରକାରର ପୂଜା ପଦ୍ଧତି।
ପରିତାପର ବିଷୟ ଯେ ବିଭିନ୍ନ ସମୟରେ ଏ ଭଳି ହିନ୍ଦୁ ଧର୍ମକୁ ସଂକୁଚିତ କରିବାକୁ ଉଦ୍ୟମ କରାଗଲା। ଆର୍ଯ୍ୟ ସମାଜ ବେଦକୁ ପ୍ରାଥମିକ ଧର୍ମଗ୍ରନ୍ଥର ମର୍ଯ୍ୟାଦା ଦେଲେ ଓ ଧର୍ମାନ୍ତରୀକରଣର ବ୍ୟବସ୍ଥା କଲେ। ଏହିପରି ଭାବରେ ହିନ୍ଦୁଧର୍ମକୁ ଇସଲାମ ବା ଖ୍ରୀଷ୍ଟଧର୍ମ ଭଳି ଏକ ’ସେମିଟିକ’ ଧର୍ମରେ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ଆରମ୍ଭ କରାଗଲା। ଏହାର ଉତ୍କଟ ରୂପ ଦେଖାଗଲା ଗତ ଶତାବ୍ଦୀର ଅଶି ଦଶକଠାରୁ। ଐତିହାସିକ Hobsbawmଙ୍କ ମତରେ ଏହି ସମୟଠାରୁ Hindu fundamentalists are trying to reduce the multiplicity of Hinduism to a single, exclusive and intolerant orthodoxy.
ଅବଶ୍ୟ ଅନ୍ୟ ଧର୍ମମାନଙ୍କ ଭଳି ଆମର ଋକ୍ବେଦରେ ମଧ୍ୟ ବିଧର୍ମୀମାନଙ୍କୁ ପଦଦଳିତ ଓ ଧ୍ୱଂସ କରିବା ପାଇଁ କୁହାଯାଇଛି, ଏବଂ ମନୁସ୍ମୃତି ଅନୁସାରେ ବିଧର୍ମୀମାନେ ରାକ୍ଷସ ଓ ଦସ୍ୟୁ ଯେଉଁମାନଙ୍କୁ ନିପାତ କରାଯାଇପାରେ। ଅନ୍ୟ ଧର୍ମରେ ଏହାଠାରୁ ଆହୁରି କଠୋର ନିର୍ଦ୍ଦେଶମାନ ଅଛି। କୋରାନ୍ର ଅନ୍ତତଃ ୧୦୯ଟି ପଦରେ ମୁସଲମାନଙ୍କୁ କାଫିରମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କୁହାଯାଇଛି ଏବଂ ଏଥିରୁ କେତେକରେ ସେମାନଙ୍କୁ ହତ୍ୟା କରିବାର ଅନୁମତି ଅଛି। ହିବ୍ରୁ ବାଇବଲର ପଞ୍ଚମ ବହିରେ କୁହାଯାଇଛି ଯେ ଯେଉଁମାନେ ଅନ୍ୟ ଈଶ୍ୱରଙ୍କୁ ପୂଜା କରନ୍ତି ସେମାନଙ୍କୁ ପଥର ମାରି ହତ୍ୟା କରାଯିବ। ଯୀଶୁଖ୍ରୀଷ୍ଟ ମଧ୍ୟ କହିଲେ ଯେ ମୋର ଯେଉଁ ଶତ୍ରୁମାନେ ମୋତେ ସେମାନଙ୍କର ରାଜା ହେବାକୁ ଦେଲେ ନାହିଁ, ସେମାନଙ୍କୁ ଏଠାକୁ ଆଣ ଓ ମୋ ଆଗରେ ସେମାନଙ୍କୁ ହତ୍ୟା କର।
ସେହି ସମୟରୁ ଧର୍ମ ନାଁରେ ହତ୍ୟା ଲୁଣ୍ଠନ ସଂଘାତ ଓ ଯୁଦ୍ଧ ଲାଗି ରହିଛି। ବିଶ୍ୱ ଇତିହାସରେ ଏଥିରୁ କେତୋଟି ଲୋମହର୍ଷକ ଘଟଣା ହେଲା : ମଧ୍ୟଯୁଗୀୟ ଇଉରୋପରେ କ୍ରୁସେଡ ଓ ଇନକ୍ୱିଜିଶନ, ସପ୍ତଦଶ ଶତାବ୍ଦୀରେ ପ୍ରଟେଷ୍ଟାଣ୍ଟ ଓ କ୍ୟାଥଲିକଙ୍କ ଭିତରେ ଯୁଦ୍ଧ, ଶିଆ ଓ ସୁନ୍ନି ମୁସଲମାନଙ୍କ ଭିତରେ ରହିଥିବା ଆବହମାନ କନ୍ଦଳ, ହିଟଲର୍ର ଇହୁଦୀ ସଂହାର ଓ ନିକଟ ଅତୀତରେ ସର୍ବୋକ୍ରୋଶିଆ ଓ ଚେଚ୍ନିୟାରେ ଖ୍ରୀଷ୍ଟିଆନ-ମୁସଲମାନ ଯୁଦ୍ଧ। ଆମ ଦେଶର କିଛି ଉଦାହରଣ ହେଲା : ୧୯୮୪ରେ ଶିଖ ହତ୍ୟାକାଣ୍ଡ, ୧୯୯୨ରେ ବାବ୍ରି ମସଜିଦ୍ ଧ୍ୱଂସ ଓ ତା’ର ପରବର୍ତ୍ତୀ ଦଙ୍ଗା ଏବଂ ଆମ ଓଡ଼ିଶାରେ ୨୦୦୭-୮ର କନ୍ଧମାଳ ହିଂସାକାଣ୍ଡ। ଆହୁରି ପଛକୁ ଗଲେ ଊନବିଂଶ ଶତାବ୍ଦୀରେ ମହିମାଧର୍ମାଲମ୍ବୀମାନଙ୍କର ପୁରୀ ମନ୍ଦିର ଆକ୍ରମଣକୁ ମଧ୍ୟରେ ଏଥିରେ ଯୋଡ଼ି ଦିଆଯାଇପାରେ।
ଭାରତବର୍ଷରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ଆଗମନ ଓ ସହାବସ୍ଥାନର ଇତିହାସ ଅତି ପୁରୁଣା। ଯୀଶୁଖ୍ରୀଷ୍ଟଙ୍କ ଶିଷ୍ୟ ଟମାସ ପ୍ରଥମ ଶତାବ୍ଦୀରେ ଦକ୍ଷିଣ ଭାରତକୁ ଆସିଥିଲେ ଏବଂ କେରଳର ସିରିଆନ୍ ଖ୍ରୀଷ୍ଟିଆନ୍ମାନେ ତାଙ୍କର ବଂଶଧର। ପାର୍ସିମାନେ ଇରାନରୁ ଭାରତକୁ ପଳାଇ ଆସିଥିଲେ ସପ୍ତମ ଶତାବ୍ଦୀରେ। ଆମର ଭକ୍ତି ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଏଠାକୁ ମୁସଲମାନମାନେ ଆସି ସାରିଥିଲେ। ଆମ ସ୍ୱଦେଶୀ ଧର୍ମ ବୌଦ୍ଧ ଜୈନ ଓ ଶିଖ ସହିତ ହିନ୍ଦୁମାନଙ୍କର କଳହ ନଥିଲା। ଆମ ସମ୍ବିଧାନର ଧାରା ୨୫ ଅନୁସାରେ ହିନ୍ଦୁ କହିଲେ ବୌଦ୍ଧ ଜୈନ ଶିଖଙ୍କୁ ମଧ୍ୟ ବୁଝାଯିବ। ଏମାନଙ୍କ ବାହାରେ ଅଛନ୍ତି ପ୍ରତିଷ୍ଠିତ ଧର୍ମମାନଙ୍କ ବାହାରେ ଥିବା ଆମର ଆଦିବାସୀ ଜନ ସମୂହ ଯେଉଁମାନେ ସର୍ବପ୍ରାଣବାଦୀ ପ୍ରକୃତି ପୂଜକ।
ବୌଦ୍ଧଧର୍ମର ଉତ୍ଥାନ ପତନ କଥା ଆଗରୁ କୁହାଯାଇଛି। ପାର୍ସି ଓ ଜୈନମାନଙ୍କୁ ନେଇ କୌଣସି ସମସ୍ୟା ନାହିଁ କାରଣ ସେମାନେ ନିଜର ବେପାର ବଣିଜ ଓ ଜୀବନ ପ୍ରଣାଳୀରେ ବ୍ୟସ୍ତ ଏବଂ କାହାରି ସହିତ କୌଣସି ସମସ୍ୟା ଉପୁଜାନ୍ତି ନାହିଁ। ଶିଖମାନେ ମୋଗଲ ସାମ୍ରାଜ୍ୟ ସମୟରେ ହିନ୍ଦୁମାନଙ୍କ ସହାୟତା କରିଥିଲେ ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କନ୍ଦଳ ନ ଥିଲା ଖାଲିସ୍ତାନ ଆନ୍ଦୋଳନ ଓ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରବର୍ତ୍ତୀ ଗଣହତ୍ୟା ପର୍ଯ୍ୟନ୍ତ। ହିନ୍ଦୁ ମୁସଲମାନ ସଂପର୍କ କିନ୍ତୁ ସବୁ ସମୟରେ ସମସ୍ୟାଶଙ୍କୁଳ ରହି ଆସିଛି। ମୋଗଲ ସାମ୍ରାଜ୍ୟ ସମୟରେ ହିନ୍ଦୁମାନଙ୍କ ଉପରେ ସୁପରିକଳ୍ପିତ ଅତ୍ୟାଚାର କରାଯାଉଥିଲା ମନ୍ଦିର ଭାଙ୍ଗିବା, ଜିଜିୟା କର ଇତ୍ୟାଦି ମାଧ୍ୟମରେ।
ଆମ ଦେଶକୁ ଖ୍ରୀଷ୍ଟିଆନ ମିଶନାରି ଅନେକ ଦିନରୁ ଆସିଥିଲେ ମଧ୍ୟ ସେମାନଙ୍କର ତତ୍ପରତା ବଢ଼ିଗଲା ଇଂରେଜ ଶାସନ ପରେ। ଧର୍ମାନ୍ତରୀକରଣ ପାଇଁ ସେମାନେ ବିଶେଷରେ ଆଦିବାସୀ ସଂପ୍ରଦାୟକୁ ଆଖିରେ ରଖିଲେ ଏବଂ ଦେଶର ଅନେକ ଭାଗରେ ସଫଳ ହେଲେ ମଧ୍ୟ। ଯେତେବେଳେ ସେମାନଙ୍କର ଧର୍ମାନ୍ତରୀକରଣ ଉଗ୍ରରୂପ ନେଲା, ଅନେକ ରାଜ୍ୟ ସେମାନଙ୍କୁ ରୋକିବା ପାଇଁ ଆଇନ ପ୍ରଣୟନ କଲେ।
ପୂର୍ବ ସମୟରେ ହିନ୍ଦୁମାନଙ୍କର ପ୍ରଖର ଧର୍ମାନ୍ଧତା ନଥିଲା ଏବଂ ଏଥିରେ ଧର୍ମାନ୍ତରୀକରଣର ବ୍ୟବସ୍ଥା ନ ଥିବାରୁ ଅନ୍ୟ ଧର୍ମକୁ ନୀଚ ଭାବୁଥିଲେ ମଧ୍ୟ ତା ପ୍ରତି କୌଣସି ଆକ୍ରମଣାତ୍ମକ ମନୋଭାବ ନଥିଲା। ଏପରକି ବ୍ରାହ୍ମ ସମାଜ ପ୍ରତିଷ୍ଠାରେ ହିନ୍ଦୁଧର୍ମ ସହିତ ମତାନ୍ତର ହୋଇଥିଲେ ମଧ୍ୟ କଟୁ ତିକ୍ତତା ଉପୁଜି ନଥିଲା।
ଏ ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା ୧୯୨୫ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସ୍ଥାପିତ ହେବା ପରେ। ସଂଘର ଲକ୍ଷ୍ୟ ହେଲା ଭାରତରେ ଏକ ହିନ୍ଦୁ ରାଷ୍ଟ୍ରର ପ୍ରତିଷ୍ଠା। ସଂଘର ଅନ୍ୟ କାର୍ଯ୍ୟକ୍ରମ ହେଲା ଗୋସଂରକ୍ଷଣ, ଦେବନାଗରୀ ଲିପିର ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା କରିବା ଇତ୍ୟାଦି। ପରବର୍ତ୍ତୀ ସମୟରେ ମୁସଲମାନଙ୍କୁ ସମର୍ଥନ ଦେଉଥିବାରୁ ସଂଘ ଗାନ୍ଧୀଙ୍କର ବିରୋଧ କଲା ଏବଂ ଶେଷରେ ଗାନ୍ଧୀଙ୍କୁ ହତ୍ୟା କରାଗଲା। ନିଜକୁ ଅଣରାଜନୈତିକ କହୁଥିବା ସଂଘ ପୂର୍ବେ ଜନସଂଘକୁ ଓ ବର୍ତ୍ତମାନ ବିଜେପିକୁ ସହାୟତା ଓ ସମର୍ଥନ ଦେଇଆସୁଛି। ଆଉ ଦୁଇଟି ହିନ୍ଦୁ ସଂସ୍ଥା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମଧ୍ୟ ଅହିନ୍ଦୁମାନଙ୍କ ବିରୁଦ୍ଧରେ କଠୋର ନୀତି ପ୍ରୟୋଗରେ ବିଶ୍ୱାସ କରନ୍ତି। ଇସଲାମୀ ସନ୍ତ୍ରାସବାଦ ବୃଦ୍ଧି ପାଇବା ପରେ ଏବଂ ବିଜେପି କ୍ଷମତାକୁ ଆସିବା ପରେ ହିନ୍ଦୁ ମୁସଲମାନ ସଂପର୍କ ତିକ୍ତରୁ ତିକ୍ତତର ହେବାରେ ଲାଗିଛି ଏବଂ ଏହାର ଯେ ଉପଶମ ହେବ ତା’ର କୌଣସି ଲକ୍ଷଣ ଦେଖାଯାଉନାହିଁ।
ପୂର୍ବରୁ କୁହାଯାଇଛି ଯେ ହିନ୍ଦୁଧର୍ମ ଏକ ଉଦାର ଧର୍ମ ଥିଲା ଏବଂ ଜଣେ କଣ ଖାଇବ, କାହାକୁ କିପରି ପୂଜା କରିବ ବା କରିବ ନାହିଁ ଓ କେଉଁ ନୀତି ଆଚରଣ କରିବ ତା’ ଉପରେ କୌଣସି ନିୟନ୍ତ୍ରଣ ନଥିଲା। ବର୍ତ୍ତମାନ କିନ୍ତୁ ହିନ୍ଦୁ ମୌଳବାଦୀମାନେ ହିନ୍ଦୁଧର୍ମକୁ ସଂକୁଚିତ କରି ତା’କୁ ଇସ୍ଲାମ ଓ ଖ୍ରୀଷ୍ଟିଆନ ଭଳି ଗୋଟିଏ ସେମିଟିକ ଧର୍ମରେ ପରିଣତ କରିବାକୁ ଲାଗି ପଡ଼ିଛନ୍ତି। ଏବଂ ହିନ୍ଦୁ ଧର୍ମରୁ ବାହାରି ଯାଇଥିବା ଲୋକମାନଙ୍କୁ କିପରି ଫେରାଇ ଆଣିବେ ସେହି ’ଘର ଓ୍ୱାପସୀ’ ନେଇ ତତ୍ପର।
ଏ ସବୁରେ ତଥାକଥିତ ବୁଦ୍ଧିଜୀବୀମାନଙ୍କର କାର୍ଯ୍ୟକଳାପ ମଧ୍ୟ ବିଶେଷ ଗଠନମୂଳକ ନୁହେଁ। ହିନ୍ଦୁ ମୌଳବାଦୀ ମନ୍ଦିର ଧ୍ୱଂସ କଥା କହିବା ବେଳେ ବାମପନ୍ଥୀ ବୁଦ୍ଧିଜୀବୀମାନେ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି କିଭଳି ମୁସଲମାନ ଶାସକମାନେ ମନ୍ଦିରର ରକ୍ଷଣାବେକ୍ଷଣ କରୁଥିଲେ। ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀ(ଯେଉଁମାନଙ୍କର ସଂଖ୍ୟା ନଗଣ୍ୟ) ହିନ୍ଦୁ ମୌଳବାଦୀଙ୍କୁ ସମର୍ଥନ ଦେଉଥିବା ବେଳେ ବିଜେପି ସରକାରର ସନ୍ତ୍ରାସ ଦମନ କାର୍ଯ୍ୟକ୍ରମରେ ବାମପନ୍ଥୀମାନେ ହିନ୍ଦୁତ୍ୱବାଦର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଦେଖନ୍ତି। ଏଇ ପରିସ୍ଥିତିରେ ଆମର ନାଗରିକ ସମାଜ ପକ୍ଷନେବାକୁ କିମ୍ବା ଚୁପ ରହିବାକୁ ବାଧ୍ୟ ହୁଏ।
ବିଭିନ୍ନ ଧର୍ମରେ ଈଶ୍ୱର ଭକ୍ତି ବାହାରେ ଅନେକ ନୀତି ନିୟମ ଅଛି, ଯଥା, କଣ ଖାଇବ ନ ଖାଇବ, କି ପୋଷାକ ପିନ୍ଧିବ, କେଉଁଠାରେ ଓ କିପରି ଭାବରେ ପୂଜା ଅର୍ଚ୍ଚନା କରିବ, କାହାକୁ ବାହା ହେବ ନ ହେବ ଓ କିପରି ଯୌନ ସଂପର୍କ ରଖିବ ଇତ୍ୟାଦି। ଏହା ବାହାରେ ଧର୍ମର ମଧ୍ୟସ୍ଥିମାନେ, ଯଥା ମୁଲ୍ଲା ପାଦ୍ରି ପୁରୋହିତ, ଆହୁରି ବିସ୍ତାର ଭାବରେ ନିର୍ଦ୍ଦେଶ ଯୋଡ଼ି ଦିଅନ୍ତି, ଯଥା, ତାଙ୍କର ଧର୍ମସ୍ଥଳ ଆଗରେ କେତେ ଡେସିବେଲର ବାଦ୍ୟ ସଂଗୀତ ଗ୍ରହଣଯୋଗ୍ୟ, ବିଧର୍ମୀମାନେ ପ୍ରାର୍ଥନା ସ୍ଥଳର କେତେ ନିକଟକୁ ଯାଇପାରିବେ, କେଉଁ ଜନ୍ତୁକୁ ପୂଜା କରାଯିବ ଏବଂ ଅନ୍ୟ କେଉଁ ଜନ୍ତୁ କେତେବେଳେ କେଉଁ ପ୍ରକାରେ ହଣାଯିବ ଓ ତା’ର ମାଂସ ଭକ୍ଷ୍ୟ କି ନୁହେଁ, ଇତ୍ୟାଦି। ଏ ସବୁ ବିଷୟରେ ଇସଲାମର ହାଡ଼ିଥ୍ ଓ ଆମର ମନୁସ୍ମୃତି ଭଳି ବହି ବିଶେଷ ବ୍ୟବହାରରେ ଆସେ। ମୌଳବାଦୀମାନେ ଧର୍ମରୁ ଆହୁରି ପାଦେ ଆଗକୁ ଯାଇ ବିଭିନ୍ନ ଆଳରେ ଇତିହାସ ବା ଅନ୍ୟ ସ୍ଥାନରେ ହୋଇଥିବା ଅଘଟଣର ଦ୍ୱାହି ଦେଇ ଅନ୍ୟ ଧର୍ମର ଲୋକମାନଙ୍କୁ ଆକ୍ରମଣ କରନ୍ତି ଏବଂ ଏହି ବର୍ବରତା ଶେଷରେ ସାର୍ବଜନୀନ ହତ୍ୟାକାଣ୍ଡରେ ପରିଣତ ହୁଏ।
ସମାଜରେ ଅନେକ ପ୍ରକାରର ବିଦ୍ୱେଷ ଅଛି, ଯଥା ଜାତିଗତ, ରାଜନୈତିକ, ଭାଷାଭିତ୍ତିକ ଇତ୍ୟାଦି। ଏମାନଙ୍କ ଭିତରୁ ସବୁଠାରୁ ଉତ୍କଟତମ ବିଦ୍ୱେଷ ହେଲା ଧର୍ମ ଜନିତ। ମଣିଷ ମଣିଷକୁ ହତ୍ୟା କରିବାକୁ ଯାଏ ଧର୍ମରେ ଏ କଥାର ସମର୍ଥନ ଅଛି ବୋଲି। ଏଥିପାଇଁ ଆମେ ଯୁଦ୍ଧ ଭଳି ପରିସ୍ଥିତି ଦେଖିବାକୁ ପାଉ ପୃଥିବୀର ବିଭିନ୍ନ ଅଂଚଳରେ : ପାଲେଷ୍ଟାଇନ (ଇହୁଦୀ ଓ ମୁସଲମାନଙ୍କ ଭିତରେ), ଉତ୍ତର ଆୟାରଲ୍ୟାଣ୍ଡ (କ୍ୟାଥୋଲିକ ଓ ପ୍ରଟେଷ୍ଟାଣ୍ଟ), ସୁଡାନ ନାଇଜେରିଆ ଇଥିଓପିଆ (ମୁସଲମାନ ଓ ଖ୍ରୀଷ୍ଟିଆନ୍), ଶ୍ରୀଲଙ୍କା (ହିନ୍ଦୁ ଓ ବୌଦ୍ଧ), ଇରାନ ଇରାକ (ଶିଆ ଓ ସୁନ୍ନି ମୁସଲମାନ) ଇତ୍ୟାଦି। ଅନେକେ ଭାବନ୍ତି ଯେ ଏ ସବୁ ପରିସ୍ଥିତି ଉପୁଜେ ଦାରିଦ୍ର୍ୟ, ଅଜ୍ଞତା ବା ରାଜନୀତିକ କାରଣରୁ, କିନ୍ତୁ ଏହା ଠିକ ନୁହେଁ। ଆମେରିକା ୯।୧୧ର ସନ୍ତ୍ରାସକାରୀମାନେ ଥିଲେ ଶିକ୍ଷିତ, ମଧ୍ୟବିତ୍ତ ପରିବାରର। ତେବେ ସେମାନେ ମସଜିଦ୍ରେ ଦୀକ୍ଷା ନେଇ ବିଶ୍ୱାସ କରୁଥିଲେ ଯେ ଜିହାଦୀ ପାଇଁ ଜନ୍ନତ୍ରେ ବାସ୍ତରୀଟି କୁମାରୀ ଅପେକ୍ଷା କରୁଛନ୍ତି।
ଏ ବିଷୟରେ ଶେଷ କଥା ହେଲା ଯେ ଅନେକ ପ୍ରକାରର ଅସହିଷ୍ଣୁତା ଭିତରେ ଧର୍ମଜନିତ ଅସହିଷ୍ଣୁତା ସବୁଠାରୁ ବେଶି ଉଗ୍ର ଓ ମାରାତ୍ମକ। ପରିତାପର କଥା ଯେ ଯେଉଁ ପର୍ଯ୍ୟନ୍ତ ଧର୍ମ ଅଛି ସେ ପର୍ଯ୍ୟନ୍ତ ଅସହିଷ୍ଣୁତାର ଆତଙ୍କ ମଧ୍ୟ ରହିଥିବ।
Comments are closed.