Odisha Link
Bridging the Missing Links in Odisha

ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେବେ ସୂର୍ଯ୍ୟନାରାୟଣ

ଭୁବନେଶ୍ୱର : ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଜାନୁଆରୀ ୧୫ ତାରିଖରେ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେବା ପାଇଁ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌ ଗସ୍ତ କରିବେ । ଲକ୍ଷ୍ମୌ ବିଧାନଭବନରେ ଆୟୋଜିତ ଏହି ସମ୍ମିଳନୀରେ ଲୋକସଭା ଓ ରାଜ୍ୟ ବିଧାନସଭାର ଉପଯୁକ୍ତ ପରିଚାଳନା ସଂ ପର୍କରେ ବିସ୍ତୃତ ଆଲୋଚନା ହେବ ।

ଦେଶର ସମ୍ବିଧାନ ଓ ବିଧାନସଭା ପରିଚାଳନା ନିୟମାବଳୀ ଅନୁଯାୟୀ ଗୃହ ପରିଚାଳନା ଠିକ୍‌ ଭାବେ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସଂପର୍କରେ ମଧ୍ୟ ଆଲୋଚନା ହେବା ସହିତ ସଂସଦୀୟ ନିୟମାବଳୀ ପ୍ରଣୟନ କରାଯିବ । ସାଂସଦ, ବିଧାୟକ ଓ ଗୃହର କର୍ମଚାରୀମାନଙ୍କୁ ଗୃହ ପରିଚାଳନାରେ ସହାୟତା ପ୍ରଦାନ, ଉତ୍ତମ ପ୍ରଶାସନ ସଂପର୍କିତ ମାନକ ଚିହ୍ନଟୀକରଣ ତଥା ରାଜ୍ୟଗୋଷ୍ଠୀର ମୂଲ୍ୟବୋଧକୁ କାର୍ଯ୍ୟାନ୍ୱୟନ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଅଭିପ୍ରେତ ।

ଏଥି ସହିତ ବିଧାନସଭା ଓ ଲୋକସଭାରେ ସୂଚନା ପ୍ରଯୁକ୍ତିର ପ୍ରଚଳନ ଓ କମ୍ୟୁଟରୀକରଣ ସଂପର୍କରେ ମଧ୍ୟ ବିଚାରବିମର୍ଶ କରାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାଚସ୍ପତି ଡ. ପାତ୍ର ଏଥି ପୂର୍ବରୁ ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗଠିତ ଏ ସଂ ପର୍କିତ କମିଟିର ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଏହି ସମ୍ମିଳନୀକୁ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ, ଉତ୍ତର ପ୍ରଦେଶ ଶାଖା ଦ୍ୱାରା ଆୟୋଜନ କରାଯାଉଛି । ଏହି ସମ୍ମିଳନୀ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୧୯ ତାରିଖରେ ବାଚସ୍ପତି ଡ. ପାତ୍ର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ଡ. ପାତ୍ରଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ମଣ୍ଡଳରେ ଉପବାଚସ୍ପତି ରଜନୀକାନ୍ତ ସିଂ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ସାମିଲ ଅଛନ୍ତି ।

Comments are closed.