Odisha Link
Bridging the Missing Links in Odisha

ଭାରତର ଗଣତନ୍ତ୍ର ବିଶ୍ୱର ମାର୍ଗଦର୍ଶକ : ରାଜ୍ୟପାଳ

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଜାତୀୟ ମତଦାତା ଦିବସ-୨୦୨୦ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଗଣତନ୍ତ୍ରର ଆଧ୍ୟାତ୍ମିକୀକରଣ ବର୍ତ୍ତମାନ ସମୟର ବିଶେଷ ଉପଲବ୍ଧି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ସଂପ୍ରତି ଏହା ଅଧିକ କ୍ରିୟାଶୀଳ ହୋଇଛି । ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସର ଧରକ ଗଣତନ୍ତ୍ର ହେବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା ପରିଚଳିତ ଶାସନତନ୍ତ୍ର ।

ନୂତନ ପିଢ଼ିଙ୍କ ମାଧ୍ୟମରେ ନବଜାଗରଣ ଆସିବ ଓ ଭାରତର ଗଣତନ୍ତ୍ର ବିଶ୍ୱକୁ ମାର୍ଗଦର୍ଶନ କରିବ ବୋଲି ରାଜ୍ୟ ପାଳ ଆଶା ପ୍ରକଟ କରିଛନ୍ତି । ବିଭିନ୍ନତା ମଧ୍ୟରେ ଏକତା ହେଉଛି ଭାରତର ଶକ୍ତି । ଏହା ବିଭିନ୍ନ ସମୟରେ ପ୍ରମାଣିତ ହେବା ସହ ଦୃଢ଼ୀଭୂତ ହୋଇଛି । ଏହି ଭାବ ଧାରାକୁ ଆଗକୁ ନେଇ ଚାଲିବାକୁ ରାଜ୍ୟ ପାଳ ପରାମର୍ଶ ଦେଇଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରମାନେ ନିର୍ବାଚନରେ ଅଂଶଗ୍ରହଣ କଲେ ଏକ ସୁଦୃଢ଼ ଗଣତନ୍ତ୍ର ସହ ସ୍ଥାୟୀ ଓ ସୁ-ସରକାର ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଉପସ୍ଥିତ ଥିଲେ ।

ଜାତୀୟ ମତଦାତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିର୍ବାଚନ ସଂପର୍କିତ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ପ୍ରବନ୍ଧ, କୁଇଜ୍‌, ପୋଷ୍ଟର ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରି ଥିଲେ । ୨୦୨୦ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ସଂପୂର୍ଣ୍ଣ ହୋଇଥିବା ନୂତନ ଭୋଟରମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ଜାତୀୟ ମତଦାତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କର ଏକ ବିଶାଳ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାହାରି ରାମମନ୍ଦିର ଛକ ଦେଇ ରବିନ୍ଦ୍ର ମଣ୍ଡପଠାରେ ପହଞ୍ଚିଥିଲା ।

Comments are closed.