ନିଖୋଜ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ପଖନାପାରା ଗାଁରୁ ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ଗାଁ ପାଖ କୂଅରେ ୮ ବର୍ଷିୟ ପଞ୍ଚବତୀ ତିୱାରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ ରାଇଘର ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ଝିଅର ମୃତଦେହ ଉଦ୍ଧାର କରିବା ପରେ କୂଅ ଭିତରେ ଫସି ରହିଥିବା ଆଉ ଜଣେ ନାବାଳିକାର ମୃତଦେହ ମଧ୍ୟ ଉଦ୍ଧାର କରିଛି। ମୃତକ ହେଲେ ୯ ବର୍ଷିୟ ଲକ୍ଷ୍ମୀ ପାଣ୍ଡେ। ନିଖୋଜ ଥିବା ୨ ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ହସ୍ପିଟାଲ ପଠାଇଥିବା ବେଳେ ଅଧିକ ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ଲକ୍ଷ୍ମୀ ପାଣ୍ଡେ ପଖନାପାରା ସ୍ଥିତ ନିଜ ମାମୁ ଘରକୁ ବୁଲିବାକୁ ଯାଇଥିଲା। ଏହି ଅବସରରେ ନିଜ ମାମୁ ଘର ପଡୋଶୀରେ ଥିବା ପଞ୍ଚବତୀ ତିୱାରୀ ସହିତ ବନ୍ଧୁତା ରହିଥିବାରୁ ଦୁହେଁ ମିଶି ସେହି ଦିନ ପ୍ରାୟ ୨ ଟା ସମୟରେ ଘରୁ ବାହାରି ଯାଇଥିଲେ। ଦିନତମାମ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଉଭୟ ଗୋନା ଗାଁକୁ ଯାଇଥାଇପାରନ୍ତି ବୋଲି ସନ୍ଦେହ କରି ସିଜନ ତିୱାରୀ ପ୍ରକାଶ ପାଣ୍ଡେଙ୍କୁ ଫୋନ ଯୋଗେ ବୁଝିଥିଲେ। କିନ୍ତୁ ସେଠାରେ ଦୁହେଁ ନଥିବା ଜାଣି, ଶେଷରେ ପରିବାର ପକ୍ଷରୁ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ମାମଲା ରୁଜୁ କରି ଗୋନା ଏବଂ ପଖନାପାରା ଗାଁକୁ ଯାଇ ତଦନ୍ତ ଜାରି ରଖିଥିଲା। ତେବେ ଶୁକ୍ରବାର ସକାଳୁ ଉଭୟଙ୍କ ମୃତଦେହ ଠାବ ହୋଇଛି।